ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଜଗସିଂହପୁର ଜିଲ୍ଲାର ଢିଙ୍କିଆ ବାସିଙ୍କ ଉପରେ ପୋଲିସର ଆତଙ୍କରାଜ ଓ ବର୍ବର ଲାଠି ଚାଳନାକୁ ଏସ୍‌ୟୁସିଆଇ(ସି)ର କଟକ ଜିଲ୍ଲା କମିଟି ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମିଳନୀରେ ତୀବ୍ର ନିନ୍ଦା କରିବା ସହିତ ସମ୍ପୃକ୍ତ ଅଂଚଳରେ ପୋଲିସ ଆତଙ୍କରଜ ତୁରନ୍ତ ବନ୍ଦ କରିବା, ସେ ଅଂଚଳରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା, ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା ସହ ସେମାନଙ୍କ ଉପରେ ରୁଜୁ ହୋଇଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବା, ଅମାନୁଷିକ ଭାବେ ଲାଠିଚାର୍ଯ କରିଥିବା ଦୋଷି ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେଠାରେ ତୁରନ୍ତ କରଖାନା ପ୍ରତିଷ୍ଠା ଉଦ୍ୟମ ବନ୍ଦ କରିବା ପାଇଁ ଦୃଢ ଦାବି କରାଯାଇଛି । ଦଳପକ୍ଷରୁ କୁହାଯାଇଛି ଯେ ସମଗ୍ର ଢିଙ୍କିଆ ଅଂଚଳକୁ ଦୀର୍ଘଦିନ ଧରି ବହୁ ସଂଖ୍ୟାରେ ପୋଲିସ୍ ଘେରାବନ୍ଦୀ କରି ରଖିଛନ୍ତି । ଆଜି ପୋଲିସ ଚାଷୀଙ୍କ ପାନ ବରଜ ଭାଙ୍ଗି ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାର ଦୃଢ ପ୍ରତିରୋଧ କରିଥିଲେ । ଗଣତାନ୍ତ୍ରିକ ଭାବରେ ପ୍ରତିବାଦ କରୁଥିବା ଗ୍ରାମବାସୀଙ୍କ ଉପରେ ପୋଲିସ୍ ଅତର୍କିତ ଭାବରେ ଅତ୍ୟନ୍ତ ବର୍ବର ଲାଠିଚାଳନା କରିଛି । ଏହି ଆକ୍ରମଣରୁ ବୃଦ୍ଧ, ବୃଦ୍ଧା ମହିଳା ଏପରିକି ଶିଶୁ ମଧ୍ୟ ବାଦ ପଡିନାହାନ୍ତି । ଏହିଭଳି ଅମାନୁଷିକ ପୋଲିସ ବର୍ବରତା ଫଳରେ ବହୁ ସଂଖ୍ୟାରେ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆନ୍ଦୋଳନର ନେତାମାନକୁ ପୋଲିସ ବେଆଇନି ଭାବରେ ଗିରଫ କରିଛି । ଏହା ପରେ ବହୁ ସଂଖ୍ୟକ ପୋଲିସ୍ ଗାଁରେ ଆତଙ୍କରାଜ ଚଳାଇଥିଲେ । ସରକାରଙ୍କ ଚାଷୀ ଓ ଜନବିରୋଧୀ ନୀତି ଓ କମ୍ପାନୀ ପ୍ରିତୀ ସ୍ପଷ୍ଟରୂପେ ଧରା ପଡିଛି ବୋଲି ଦଳପକ୍ଷରୁ କୁହାଯାଇଛି । ଜିଦିଖୋର ସରକାର ସେଠାକାର ଚାଷୀ ଓ ସାଧାରଣ ଲୋକଙ୍କୁ ତଳିତଳାନ୍ତ କରିବା ପାଇଁ ଚାଷୀଙ୍କଠାରୁ ପୋଲିସ ବଳରେ ପୁଣି ଜମି ଛଡାଇ ଜିନ୍ଦଲ କମ୍ପାନୀକୁ ଟେକି ଦେବା ଉଦ୍ୟମ କରୁଛନ୍ତି । ଢିଙ୍କିଆ ଅଂଚଳବାସୀ ନିଜର ଜୀବନ ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ସରକାରଙ୍କ ନିର୍ଦେଶରେ ପୋଲିସ୍ ବଳ ପ୍ରୟୋଗ ଚାଲିଛି । ଲୋକଙ୍କ ଉପରେ ଅତ୍ୟନ୍ତ ଅମାନୁଷିକ ଭାବରେ ପୋଲିସ୍ ନିର୍ଯ୍ୟାତନା ବୃଦ୍ଧି ପାଇ ପରିସ୍ଥିତି ଗୁରୁତର ହେଉଛି । ସେଠାରେ ଗଣତାନ୍ତ୍ରିକ, ସାମ୍ବିଧାନିକ ଏପରିକି ମାନବିକ ଅଧିକାରକୁ ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ପଶୁ ବଳ ପ୍ରୟୋଗ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରମାନେ କର୍ପୋରେଟ ମାନଙ୍କ ହାତକୁ ସମସ୍ତ ଜାତୀୟ ସମ୍ପତ୍ତି ଚାଷ ଜମି,ଖଣି,ପାଣି ଓ ଜଙ୍ଗଲ ଶାଗ ମାଛ ଡରରେ ଟେକି ଦେଉଛନ୍ତ । ସେଇ ଉଦେଶ୍ୟରେ ଢିଙ୍କିଆ ଅଂଚଳବାସୀଙ୍କୁ ଘେରାବନ୍ଦି କରାଯାଇ ଗିରଫଦାରୀ କରାଯିବା ସହ ଲୋକଙ୍କ ଯାତାୟାତକୁ ବନ୍ଦ କରାଯାଇଛି । ବୃଦ୍ଧ, ବୃଦ୍ଧା, ମହିଳା ଏବଂ ଶିଶୁ କେହି ପୋଲିସ୍ ଆକ୍ରୋଶରୁ ବାଦ ପଡୁ ନାହାଁନ୍ତି । ମିଥ୍ୟା ମକଦ୍ଦମା ଦିଆଯାଇ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଛି । ଲୋକଙ୍କ ଜୀବନ ଜୀବିକା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ସ୍ଥଳେ ପୋଲିସ୍ ଜୁଲମ ବନ୍ଦ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ, ସଦସ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *