ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ


ଭୁବନେଶ୍ୱର(ଏନ୍‌.ଏମ୍‌.): କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ସମସ୍ତ ଧାନ ମଣ୍ଡି ଗୁଡିକରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଆଜି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୦୪ ତାରିଖ ଠାରୁ ୦୭ତାରିଖ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଯାଇ ସେ ଚାଷୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ମିଲ୍ ମାଲିକ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ବୃନ୍ଦଙ୍କ ମଧୁଚନ୍ଦ୍ରିକା ଯୋଗୁଁ କଟନି ଛଟନି ସମସ୍ୟା ସହ ପରିବହନ ଖର୍ଚ୍ଚ ମଧ୍ୟ ଚାଷୀମାନଙ୍କୁ ଠିକ୍ ଭାବରେ ମିଳୁନଥିବା ମାନ୍ୟବର ବାଚସ୍ପତିଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ତେବେ କସ୍ମିନ୍ କାଳେ ଚାଷୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇ ପାରିବ ନାହିଁ ଏବଂ ଯେ କେହି ପଦାଧିକାରୀ ଯଦି ଏହି ଦୁର୍ନୀତିରେ ଜଡିତ ହୁଅନ୍ତି ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଚସ୍ପତି ଡକ୍ଟର ପାତ୍ର ସତର୍କ କରାଇଦେଇଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଗଲେ ଦୁର୍ନୀତି ଦୂର ହୋଇପାରିବ ବୋଲି ସେ ମତ ଦେବା ସହ ସମସ୍ତ ମଣ୍ଡିରୁ ଧାନ କ୍ରୟ ବ୍ୟବସ୍ଥା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଡେଙ୍ଗାପଦର ମହିଳା ସ୍ୱୟଂ ସହାୟିକା ସଂଘ ଏବଂ ସଂଗ୍ରାମ ମହିଳା ସ୍ୱୟଂ ସହାୟିକା ସଂଘ, ଜଗଦଲପୁର ଏଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରୁଥିବା ମଧ୍ୟ ସେ ବ୍ୟକ୍ତିଗତ ଭାବେ ହୃଦୟଙ୍ଗମ କରିଥିବା ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଏସମ୍ପର୍କରେ ସୁସ୍ପଷ୍ଟ ନିର୍ଦ୍ଦେଶ ରହିଛି ଏବଂ ବିଭାଗୀୟ ପଦାଧିକାରୀମାନେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ମିଲର୍ସ ଚାଷୀ ମାନଙ୍କ ଧାନ କାଟି ରଖନ୍ତି ତାହେଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ମଧ୍ୟ ବାଚସ୍ପତି ଡକ୍ଟର ପାତ୍ର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ନିବନ୍ଧକ ଏସ୍‌.କେ.ବାରିକ, ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ତୁଷା ମୁଣ୍ଡା, ଗଞ୍ଜାମ ଜିଲ୍ଲା ସମବାୟ ନିବନ୍ଧକ ବିଶ୍ୱରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *