ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ


ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋଷେଇ ଘରକୁ ସ୍ଥାଣୁ କରିଦେଇଛି । ବାରମ୍ବାର ଦରବୃଦ୍ଧି ଯୋଗୁଁ ମହିଳାମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ଚୌଦ୍ୱାର-କଟକ ବିଜୁ ମହିଳା, ଯୁବ, ଛାତ୍ର ବିଜେଡି ପକ୍ଷରୁ ଚୌଦ୍ୱାର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ଓଡିଶାରେ ପର୍ଯ୍ୟାୟ କ୍ରମେ ଆଜିଠୁ ୩ଦିନ ଧରି ଓଡିଶାରେ ଥିବା ଆର୍‌.ଡି.ସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଚୌଦ୍ୱାର – କଟକର ବିଧାୟକ ଶ୍ରୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ରନ୍ଧନ ଗ୍ୟାସ୍‌ର ମୂଲ୍ୟରେ ୭୦ପ୍ରତିଶତ ବୃଦ୍ଧି ଘଟିଛି ବୋଲି କହିଥିଲେ । ୨୦୧୬-୧୭ ମସିହାରେ ୧୪.୨ କିଲୋଗ୍ରାମ ରନ୍ଧନ ଗ୍ୟାସ୍ ଥିବା ଗୋଟିଏ ସିଲିଣ୍ଡରର ମୂଲ୍ୟ ୫୪୯ ଟଙ୍କା ୬୯ ପଇସା ଥିବାବେଳେ ଏହା ବୃଦ୍ଧି ପାଇ ବର୍ତ୍ତମାନ ୯୨୬ଟଙ୍କାରେ ପହଞ୍ଚିଛି । ଏହାର ବୃଦ୍ଧି ଏତେ ପରିମାଣରେ ହୋଇଛି ଯେ ସିଲିଣ୍ଡର ପିଛା ମାତ୍ର ୩.୫ ବର୍ଷରେ ୩୭୬.୩୧ ବଢିଛି । ଭାରତରେ ଏତେ କମ୍ ସମୟ ମଧ୍ୟରେ ରନ୍ଧନଗ୍ୟାସ୍ ଦର ୭୦ପ୍ରତିଶତ ବୃଦ୍ଧି ପାଇବା ପୂର୍ବରୁ କେବେ ଦେଖାଯାଇ ନଥିଲା ଏହା ଅତ୍ୟନ୍ତ କଷ୍ଟ ଦାୟକ । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ସହିତ ଉଜ୍ୱଳା ଯୋଜନାର ବିଫଳତା ପଦାରେ ପଡିଛି । ଓଡିଶାର ଗରିବ ମା’ ଓ ଭଉଣୀ ମାନଙ୍କ ଉପରେ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ଯୋଗୁଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଗାମୀ ଦିନରେ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ହ୍ରାସ କରା ନଗଲେ ଏ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ତିବ୍ରତର ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡା, ମହିଳା ସଭାପତି ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କଟକ ଜିଲ୍ଲା ଉପସଭାପତି ପ୍ରେମଚାନ୍ଦ ନାୟକ, ସମ୍ପାଦକ ଶୁଭେନ୍ଦୁ ସାମଲ, ଯୁବ ସଭାପତି ଅର୍ଜୁନ ପଣ୍ଡା, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ପୂର୍ବତନ ଉପାଧକ୍ଷ ଅଜୟ କୁମାର ବେହେରା, ପୂର୍ବତନ କାଉନସିଲର ଦିଲ୍ଲପ ସାହୁ, ମନୋଜ ମହାନ୍ତି, ସୁବ୍ରତ ସାମଲ, ବିଜୟ ମଲ୍ଲିକ, ଗିରିଧାରୀ ଦଳାଇ, ସବିତା ନାୟକ, ମିନତୀ ଚୌଧୁରୀ, ସରୋଜ ମଲ୍ଲିକ, ସୁପ୍ରଭା ବେହେରା, ଯୁବ କମିଟିର – ରାଜନ କାଦିର ପ୍ରମୁଖଙ୍କ ସହ ୫୦୦ଶହରୁ ଉର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *