‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ
କୋଭିଡ୍‌ରେ ପ୍ରଭାବିତ ଶିଶୁମାନଙ୍କୁ ଆର୍ଥିକ ସହାୟତା ସହ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ


ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ‘ଆଶୀର୍ବାଦ’ ଯୋଜନାର ସଫଳ ଅନ୍‌ଲାଇନ୍ ପରିଚାଳନା ପାଇଁ (ଏମ୍‌ଆଇଏସ୍‌) ପୋର୍ଟାଲ ଲୋକାର୍ପିତ ହୋଇଛି । ୧ ଏପ୍ରିଲ ୨୦୨୦ରୁ ୧୫ ସେପେଫମ୍ବର ୨୦୨୧ ମଧ୍ୟରେ କୋଭିଡ୍ ମହାମାରୀ ସମୟରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ ଉପାର୍ଜନକାରୀ ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଉପଯୁକ୍ତ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ଯୋଜନାର ଘୋଷଣା କରିଥିଲେ । ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପିଲାମାନଙ୍କୁ ସହାୟତା ରାଶି ସୁଚାରୁ ରୂପେ ପ୍ରଦାନ ନିମନ୍ତେ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ୟୁନିସେଫ୍ ସହାୟତାରେ ଏହି ପୋର୍ଟାଲର ବିକାଶ କରାଯାଇଛି ।
ଏ ପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରାୟ ୧୭ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହୋଇସାରିଛନ୍ତି । ଏଥିପାଇଁ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ଏବଂ ପିତାମାତାଙ୍କ ମଧ୍ୟରୁ ଉପାର୍ଜନକାରୀ ଜଣଙ୍କୁ ହରାଇଥିବା ପିଲାଙ୍କ ଶିକ୍ଷା ପାଇଁ ମାସିକ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି ।
ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀମାନଙ୍କ ସମସ୍ତ ତଥ୍ୟ ଏହି ପୋର୍ଟାଲ୍‌ରେ ସ୍ଥାନିତ କରାଯିବ । ଏହି ଯୋଜନା ପାଇଁ ଆବେଦନ ପ୍ରକ୍ରିୟା, ଚୟନ ପଦ୍ଧତି, ପିଲାମାନଙ୍କ ପାଇଁ ଉପଲବ୍ଧ ଥିବା ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ବିଭିନ୍ନ ସୂଚନା ଏହି ପୋର୍ଟାଲ୍‌ରେ ଅପ୍‌ଲୋଡ଼୍ କରାଯିବ । ପିଲାମାନଙ୍କ ପାଇଁ ଉପଲବ୍ଧ ସହାୟତା ରାଶି ସେମାନଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚୁଛି କି ନାହିଁ, ଏହି ପୋର୍ଟାଲ ମାଧ୍ୟମରେ ପରିଚାଳନା କରାଯିବ । ଏହି ପୋର୍ଟାଲ୍‌ର ବ୍ୟବହାର ସମ୍ପର୍କରେ ଖୁବ୍‌ଶୀଘ୍ର କ୍ଷେତ୍ର କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆଭାସୀ ମାଧ୍ୟମରେ ଆଜି ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, ଗତ ଦୁଇବର୍ଷ ଧରି ସମସ୍ତଙ୍କ ଜୀବନ କଷ୍ଟରେ ବିତିଛି । କେହି ନା କେହି ନିଜ ଲୋକଙ୍କୁ ହରାଇବାର ଦୁଃଖ ଆମ ସମସ୍ତଙ୍କୁ ସହିବାକୁ ପଡ଼ିଛି । କିନ୍ତୁ ଏଥିରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ନିରୀହ କୋମଳମତି ଶିଶୁମାନେ । ପିତାମାତାଙ୍କୁ ହରାଇ ଅସହାୟ ହୋଇପଡ଼ିଥିବା ଶିଶୁମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ ଓ ସୁରକ୍ଷିତ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ କରାଯାଉଛି । ପିଲାମାନଙ୍କୁ କେବଳ ଆର୍ôଥକ ସହାୟତା ପ୍ରଦାନ ନୁହେଁ ଏଥି ସହିତ ମାନସିକ ଏବଂ ସାମାଜିକସ୍ତରରେ ମଧ୍ୟ ସେମାନଙ୍କ ମନୋବଳ ବଢ଼ାଇବା ଦିଗରେ ଆମକୁ ଆହୁରି ଯତ୍ନବାନ ହେବାକୁ ପଡ଼ିବ । ତେବେ ଯେଉଁଠାରେ ବି ସମ୍ବେଦନ ପ୍ରବଣ ଶିଶୁଟିଏ ଚିହ୍ନଟ ହେଉଛି ତା’ର ପରିବାର ଏବଂ ସମ୍ପର୍କୀୟଙ୍କ ସଙ୍ଗେ ପରାମର୍ଶ କରି ତାକୁ ଆନୁଷ୍ଠାନିକ ଯତ୍ନ କେନ୍ଦ୍ରରେ ରଖିବା ପରିବର୍ତ୍ତେ ପରିବାର ଲୋକଙ୍କ ମଧ୍ୟରେ ଘରୋଇ ପରିବେଶରେ ଥଇଥାନ କରିବା ନିମନ୍ତେ ସମସ୍ତ ଅଂଶୀଦାରମାନେ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ । ଏହି ପୋର୍ଟାଲର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ସମନ୍ୱିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଥିଲେ ଯେ କୋଭିଡ୍ ସ୍ଥିତିରେ କୋମଳମତି ଶିଶୁମାନେ ବହୁ କଠିନ ସମୟ ଦେଇ ଗତି କରିଛନ୍ତି । କୋଭିଡ୍‌ରେ ପିତାମାତା କିମ୍ବା ଉପାର୍ଜନକ୍ଷମ ମୁଖ୍ୟଙ୍କୁ ହରାଇଥିବା ଶିଶୁମାନଙ୍କ ଶିକ୍ଷା ଏବଂ ଅନ୍ୟାନ୍ୟ ସହାୟତା ପାଇଁ ସରକାର ଅତ୍ୟନ୍ତ ଯତ୍ନଶୀଳତାର ସହ ପଦକ୍ଷେପ ନେଉଛନ୍ତି । ଅନ୍ୟାନ୍ୟ କାରଣରୁ ପିତା ବା ମାତାଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଖାଦ୍ୟ ସୁରକ୍ଷା ଆଇନ୍‌, ସ୍ୱାସ୍ଥ୍ୟ ବୀମା, ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ଏହି ଶିଶୁମାନଙ୍କୁ ସାମିଲ କରାଯାଉଛି । ଆଶୀର୍ବାଦ ପୋର୍ଟାଲର ଉପଯୁକ୍ତ ପରିଚାଳନା କରିବା ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟାକୁ ଏହି ପୋର୍ଟାଲ୍ ମାଧ୍ୟମରେ ତ୍ୱରାନ୍ୱିତ କରିବା ଉପରେ ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ୍ ଗୁରୁତ୍ୱ ପ୍ରଦାନ କରିଥିଲେ । ୟୁନିସେଫ୍‌, ଓଡ଼ିଶାର ଚିଫ୍ ଫିଲ୍ଡ ଅଫିସ୍ ମୋନିକା ନିଲେସନ କୋଭିଡ୍‌ରେ କ୍ଷତିଗ୍ରସ୍ତ ଶିଶୁମାନଙ୍କୁ ପୁଣିଥରେ ସ୍ୱାଭାବିକ ଜୀବନ ମଧ୍ୟକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ‘ଆଶୀର୍ବାଦ’ ଯୋଜନାର ପୋର୍ଟାଲ୍‌ର ଭିଡ଼ିଓ ଲୋକାର୍ପିତ ହୋଇଥିଲା । ନବରଙ୍ଗପୁର, ବୌଦ୍ଧ, ପୁରୀ, କଟକ ଏବଂ ଯାଜପୁର ପ୍ରଭୃତି ଜିଲ୍ଲାରେ ଆଶୀର୍ବାଦ ଯୋଜନାର ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ କରାଯାଇଥିଲା । ଏହିସବୁ ସ୍ଥାନରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ-ଅଧ୍ୟକ୍ଷା, ଅଭିଭାବକ, ଡିସିପିଓ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରତିନିଧି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ହିତାଧିକାରୀ ପିଲାମାନେ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ଆଶୀର୍ବାଦ ଯୋଜନାର ସୁଫଳ ସମ୍ପର୍କରେ ବିଭିନ୍ନ ଜିଲ୍ଲାରୁ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

Leave a Reply

Your email address will not be published. Required fields are marked *