ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ

@Newdelhi #ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାର ଦେଶର ପ୍ରଗତି ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏବେ ବିକଶିତ ଭାରତର ଆଉ ଗୋଟିଏ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍ଏ) ବିଲ୍ ୨୦୨୫, ସସ୍ଷ୍ଟେନେବୁଲ ହାର୍ନେସିଙ୍ଗ୍ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ (ଶାନ୍ତି) ବିଲ୍ ୨୦୨୫ ଓ ରିପେଲିଙ୍ଗ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୫। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ବିଲ୍ ୨୦୨୫କୁ ଆଗତ କରିଥିଲେ। ଏହି ବିଲର ଉଦ୍ଦେଶ୍ୟ ହେଉଛି ଦେଶର ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ସଶକ୍ତ କରିବା। ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷାଦାନ, ଶିକ୍ଷା, ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିପାରିବେ। ଏହି ବିଲ୍ ଦ୍ୱାରା ଦେଶର ଉଚ୍ଚ ଶିକ୍ଷାକ୍ଷେତ୍ରକୁ ଆତ୍ମନିର୍ଭର କରାଯାଇପାରିବ। ତେବେ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି (ଜେପିିସି)କୁ ପଠାଇବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଦାବି କରାଯାଇଥିଲା। ବିରୋଧୀଙ୍କ ଦାବି ଆଧାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଲ୍ ଉପରେ ଅଧିକ ତର୍ଜମା ପାଇଁ ଜେପିିସିକୁ ପଠାଇବା ଲାଗି ବାଚସ୍ପତିଙ୍କୁ ନିବେଦନ କରିଥିଲେ। ଏହା ସହିତ ଜେପିସି ପାଇଁ ସଦସ୍ୟ ନିଯୁକ୍ତ କରିବାକୁ ନିବେଦନ କରିଥିଲେ। ଶାନ୍ତି ବିଲକୁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଗତ କରିଥିଲେ। ଏହି ବିଲର ଉଦ୍ଦେଶ୍ୟ ହେଉଛି ଆଟମିକ ଏନର୍ଜି ଆଇନ ୧୯୬୨ ଓ ସିଭିଲ୍ ଲିଆବିଲିଟି ଫର ନ୍ୟୁକ୍ଲିୟର ଡ୍ୟାମେଜ୍ ଆଇନ ୨୦୧୦କୁ ଉଚ୍ଛେଦ କରିବା। ଏହା ସହିତ ନୂଆ ବିଲ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଆଇନରେ ନ୍ୟୁକ୍ଲିୟର ପାୱାର ସେକ୍ଟରରେ ଘରୋଇ କମ୍ପାନୀଗୁଡିକ ଭାଗ ନେଇପାରିବେ। ଏହି ବିଲକୁ ମଧ୍ୟ ଜେପିସିକୁ ପଠାଇବା ଲାଗି ସରକାର ସୁପାରିସ୍ କରିଛନ୍ତି। ରିପେଲିଙ୍ଗ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୫କୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିଲେ। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ୭୧ଟି ଆଇନକୁ ଉଚ୍ଛେଦ କରିବା। ଉଚ୍ଛେଦ ହେବାକୁ ଥିବା ଆଇନଗୁଡିକ ଆଉ ବ୍ୟବହାର ଉପଯୋଗୀ ନୁହେଁ ବୋଲି କୁହାଯାଇଛି। ଅନ୍ୟପଟେ ଲୋକସଭାରେ ଆଜି ଅତିରିକ୍ତ ଖର୍ଚ୍ଚ ପାଇଁ ୪୧,୪୫୫ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ଡିମାଣ୍ଡକୁ ଗୃହୀତ କରାଯାଇଛି। ଏହି ସପ୍ଲିମେଣ୍ଟାରୀ ଡିମାଣ୍ଡ ମଧ୍ୟରୁ ୧୮,୦୦୦ କୋଟି ଟଙ୍କା ସାର ବାବଦ ରିଆତି ପାଇଁ ଖର୍ଚ୍ଚ ହେବ।
