ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !

ତଦନ୍ତ ପାଣ୍ଠିକୁ ଲୁଟି ନେଲା ଓଡ଼ିଶା ପୁଲିସ !
୮ମାସରେ ୨୩କୋଟି ଖର୍ଚ୍ଚ, ପୁଣି ମାଗିଲେ ୧୫୦କୋଟି


#Cuttack , କଟକ (ଏନ୍‌.ଏମ୍‌.): ରାଜ୍ୟରେ ଅପରାଧ ଯେତେ ଅଧିକ ହେଉଛି ଓଡ଼ିଶା ପୁଲିସର ଲାଭ ସେତେ ବଢ଼ିଚାଲିଛି। ଏ କଥା ଆମ୍ଭେ କହୁନାହୁଁ କହୁଛନ୍ତି ହଜାର ହଜାର ବୁଦ୍ଧିଜୀବୀ। ରାଜ୍ୟର ସମସ୍ତ ଥାନାରେ ଏଭଳି ସରକାରୀ ଅର୍ଥକୁ ହରିଲୁଟ ଚାଲୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି। ପୁଲିସ ବିଭାଗର ଥିବା ତଦନ୍ତ ପାଣ୍ଠିକୁ ପୁଲିସ ଅଧିକାରୀମାନେ ମନଇଚ୍ଛା ଖର୍ଚ୍ଚ କରିବା ସହ ରାଜକୋଷକୁ ଲୁଟ କରୁଥିବା ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କେତେକ ଅଫିସର ଏହି ଗଳାବାଟର ଫାଇଦା ଉଠାଇ ଉଦ୍ଦେଶ୍ୟମୂଳକ ଭାବେ କଳ୍ପିତ ୫ହଜାର ଟଙ୍କାରୁ କମ୍ ବିଲ୍ ଦେଇ ଏକାଧିକ ଥରରେ ଏହାକୁ ଉଠାଇବାରେ ସକ୍ଷମ ହେଉଥିବା ଚର୍ଚ୍ଚା ହେଉଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ‘ବିନା ଭାଉଚରରେ ସରକାରୀ ଅର୍ଥ ‘ ନେବାର ଅବା ହଡ଼ପ କରିବାର ବ୍ୟବସ୍ଥା ନଥିଲେ ମଧ୍ୟ ଓଡ଼ିଶାରେ ଏହା ଯୋରଦାର ଚାଲୁଛି।
ରାଜ୍ୟରେ ଅପରାଧର ତଦନ୍ତ ପାଇଁ ପୁଲିସକୁ ଚଳିତ ଆର୍ôଥକ ବର୍ଷରୁ ରାଜ୍ୟ ସରକାର ଦେଉଥିବା ‘ଇନଭେଷ୍ଟିଗେସନ୍ ଫଣ୍ଡ’ ବା ତଦନ୍ତ ପାଣ୍ଠିରେ ବ୍ୟାପକ ଦୁରୁପଯୋଗର ଆଶଙ୍କା ସୃଷ୍ଟି ହୋଇଛି। ତଦନ୍ତ ଖର୍ଚ୍ଚ ଆଳରେ ମାତ୍ର ୮ମାସ ମଧ୍ୟରେ ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ଓଡ଼ିଶା ପୁଲିସ ୨୦୨୬-୨୭ ଆର୍ôଥକ ବର୍ଷରେ ଏବାବଦରେ ୧୫୦କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି। ଗୋଟିଏପଟେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣରେ ବିଫଳକୁ ନେଇ ବିବାଦରେ ରହୁଥିବା ଓଡ଼ିଶା ପୁଲିସ ଏହି ‘ତଦନ୍ତ ପାଣ୍ଠି’କୁ ବ୍ୟକ୍ତିଗତ ଏଟିଏମ୍ ଭଳି ଖର୍ଚ୍ଚ କରିବା ସହ କାହାରି ଉତ୍ତରଦାୟିତ୍ୱ ନରହିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ôଥକ ବର୍ଷରୁ ଓଡ଼ିଶା ପୁଲିସକୁ ‘ତଦନ୍ତ ପାଣ୍ଠି’ ବାବଦରେ ରାଜ୍ୟ ସରକାର ମୋଟ ୫୦କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରାଇବା ନିମନ୍ତେ ହେଉଥିବା ବିଭିନ୍ନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଛନ୍ତି। ଏପରିକି ୨୦୨୫ ଏପ୍ରିଲ ୪ତାରିଖରେ ପୁଲିସ ଅଫିସରମାନଙ୍କୁ ଆର୍ôଥକ କ୍ଷମତାକୁ ମଧ୍ୟ ସଂଶୋଧନ କରିବା ସହ ଏପ୍ରିଲ ୨୮ତାରିଖରେ ଏହି ପାଣ୍ଠି କିଭଳି ଖର୍ଚ୍ଚ କରାଯିବ ତା’ର ମଧ୍ୟ ଗାଇଡଲାଇନ୍ ଜାରି କରିଥିଲେ। ତେବେ ମାତ୍ର ୮ମାସ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୫ତାରିଖ ସୁଦ୍ଧା ଏହି ତଦନ୍ତ ପାଣ୍ଠିରୁ ୪୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇସାରିଛି। ମୋଟ ୫୦ କୋଟି ଟଙ୍କାର ବଜେଟରୁ ୨୨.୭୨ କୋଟି ଟଙ୍କା (୪୫.୪୪%) ଉଠାଣ ହୋଇସାରିଛି। ପ୍ରତ୍ୟେକ ହତ୍ୟା ମାମଲାର ତଦନ୍ତ ପାଇଁ ୨୫ହଜାର ଟଙ୍କା, ଦୁଷ୍କର୍ମ ମାମଲା ପାଇଁ ୧୮ରୁ ୩୭ହଜାର ଟଙ୍କା, ଅପହରଣ ପାଇଁ ୧୦ରୁ ୩୦ହଜାର ଟଙ୍କା, ଅପମୃତ୍ୟୁ ପାଇଁ ୧୩ହଜାର ଟଙ୍କା, ସାଇବର ଅପରାଧ ପାଇଁ ୨୫ରୁ ୪୫ହଜାର ଟଙ୍କା, ଏନଡିପିଏସ୍ ମାମଲାରେ ୧୫ରୁ ୩୫ହଜାର ଟଙ୍କା, ସମ୍ପତି ବିବାଦ ମାମଲାର ତଦନ୍ତ ନିମନ୍ତେ ୧୭ହଜାର ଟଙ୍କା ଓ ଅନ୍ୟାନ୍ୟ ମାମଲାରେ ପ୍ରତି କେସ୍ ପିଛା ୫ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ସରକାର ଅନୁମତି ଦେଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ରାଜ୍ୟରେ ଅପରାଧ ମାମଲା ପଞ୍ଜିକରଣ ସଂଖ୍ୟା ସ୍ଥିର ରହିଥିବା ଓ ଅଧିକାଂଶ ଜିଲ୍ଲାରେ ହତ୍ୟା ଓ ଏନଡିପିଏସ ଭଳି ବଡ଼ ମାମଲା ନଥାଇ ମଧ୍ୟ ଏହି ତଦନ୍ତ ପାଣ୍ଠିରୁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ବିଭିନ୍ନ ମାମଲାର ତଦନ୍ତକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ଉଦ୍ଦେଶ୍ୟରେ ସରକାର ତଦନ୍ତକାରୀ ଅଫିସରଙ୍କୁ ଆର୍ôଥକ ଖର୍ଚ୍ଚ କରିବାର ସ୍ୱାଧୀନତା ଦେଇଛନ୍ତି। ତଦନ୍ତକାରୀ ଅଫିସର ‘ସେଲଫ୍ ସାର୍ଟିଫିକେସନ’ ବା ସ୍ୱପ୍ରମାଣିତ ମାଧ୍ୟମରେ ପ୍ରତି ମାମଲା ପିଛା ୫ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ଗୃହ ବିଭାଗର ଗାଇଡଲାଇନରେ ଉଲ୍ଲେଖ ରହିଛି। ଆଉ ଏହାର ଫାଇଦା ଉଠାଇ ଏବେ ଅଧିକାଂଶ ତଦନ୍ତକାରୀ ପୁଲିସ ଅଫିସର ଏହାକୁ ନିଜର ବ୍ୟକ୍ତିଗତ ଏଟିଏମ୍ ଭଳି ଉପଯୋଗ କରିବାରେ ଲାଗିଥିବା ଜଣାପଡ଼ିଛି। ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚର କୌଣସି ରସିଦ୍ କିମ୍ବା ଭାଉଚର ପ୍ରଦାନ କିମ୍ବା ବିଲ୍ ଦାଖଲର ବାଧ୍ୟତାମୂଳକ ପ୍ରାବଧାନ ନାହିଁ। ଯେଉଁଥିପାଇଁ ତଦନ୍ତକାରୀ ଅଫିସରମାନେ ମନଇଚ୍ଛା ବିଲ୍ ଦାଖଲ କରୁଛନ୍ତି ଓ ଉପରିସ୍ଥ ଅଧିକାରୀମାନେ ବିନା ଯାଂଚରେ ଏହାକୁ ମଞ୍ଜୁର କରୁଥିବା ଜଣାପଡ଼ିଛି। ଏଥିପ୍ରତି ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ ତେବେ ଏହି ପୁଲିସ ବିଭାଗରେ ଥିବା ଅଧିକାରୀମାନେ ଦିନ କେଇଟାରେ ସମସ୍ତ ସରକାରୀ ଅର୍ଥକୁ ଚଳୁକରିଦେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଧୁନିକ ଟେକ୍ନୋଲୋଜି ଓ ପେପରଲେସ୍ ପ୍ରଶାସନିକ କାର୍ଯ୍ୟ ଉପରେ ରାଜ୍ୟ ସରାକାର ଗୁରୁତ୍ୱ ଦେଉଥିବାବେଳେ ‘ଇନଭେଷ୍ଟିଗେସନ୍ ଫଣ୍ଡ’କୁ କାହିଁକି ଜାଣିଶୁଣି ଏସବୁରୁ ଦୂରେଇ ରଖିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ହୋଟେଲ ବିଲଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗାଡ଼ି ଭଡ଼ା ଆଦିର ଡିଜିଟାଲ ବିଲ୍ ଏବେ ସହଜରେ ମିଳୁଥିବାବେଳେ ବିନା ଭାଉଚର ଓ ରସିଦରେ ଟଙ୍କା ଖର୍ଚ୍ଚର ଅନୁମତି କେବଳ ରାଜକୋଷକୁ ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *