କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

#ଭୁବନେଶ୍ୱର/କଟକ (ଏନ୍.ଏମ୍.): କଟକରେ ଏଣିକି ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କି, କଟକରେ ଥିବା ସମସ୍ତ ବିପଦସଂକୁଳ ଚିଠା ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ। ଏନେଇ କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି। ଏହି କମିଟି କଟକ ମହାନଗର ଅଧିନରେ ଥିବା ସମସ୍ତ ବିପଦ ସଂକୁଳ କୋଠାଗୁଡିକୁ ଚିହ୍ନଟ କରିବ। ଏବେ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି। ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦିଆଯିବ ଓ ପରେ ଭଙ୍ଗାଯିବ। ସୂଚନା ଥାଉ କି ନଭେମ୍ବର ୮ ତାରିଖରେ କଟକ ମଣିସାହୁ ଛକରେ ଘଟିଥିଲା ବଡ଼ ଧରଣର ଅଘଟଣ। କ୍ୟାଣ୍ଟନମେଣ୍ଟ ସ୍କୁଲ ସାମନାରେ ଥିବା ଏକ ଆପାର୍ଟମେଣ୍ଟର ବାଲକୋନି ମରାମତି ସମୟରେ ଭାଙ୍ଗିଯାଇ ଦୁଇ ଜଣଙ୍କ ଘର ଉପରେ ପଡ଼ିଥିଲା। ଫଳରେ ଗୋଟିଏ ପରିବାରର ବାପା, ପୁଅ ଓ ନାତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁଇ ପରିବାରର ଆହୁରି ୬ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ। ମୃତକ ହେଲେ ଅବଦୁଲ ଜଲିଲ(୬୦), ତାଙ୍କ ପୁଅ ଅବଦୁଲ ଜାହିଦ(୩୦), ନାତି ତଥା ଜାହିଦଙ୍କ ବଡ଼ ପୁଅ ଅବଦୁଲ ମୁଜାହିଦ(୫ ବର୍ଷ)। ସେହିଭଳି ଆହତମାନେ ହେଲେ ଜଲିଲଙ୍କ ପତ୍ନୀ ସାବେରା ବିବି(୫୨), ଜାହିଦଙ୍କ ପିତ୍ନୀ ସାହିନା ବିବି(୨୯), ଜାହିଦଙ୍କ ସାନପୁଅ ଅବଦୁଲ ରେହେମାନ(୩ ମାସ), ପଡ଼ୋଶୀ ଅବଦୁଲ ସବିରଙ୍କ ଘରକୁ ଆସିଥିବା ପୁତୁରା ରେହାନ ଖାଁ(୮), ସାବିରଙ୍କ ମା’ ରେହମତ ତୁନିସା(୫୦), ସାବିରଙ୍କ ପତ୍ନୀ ୱାହିଦା ବେଗମ(୨୪)। ସୂଚନା ଅନୁଯାୟୀ କଟକ ବକ୍ସିବଜାର ମଣିସାହୁ ଛକ ନିକଟରେ ଥିବା ଏକ ଅସୁରକ୍ଷିତ ୬ ମହଲା ବିଶିଷ୍ଟ କୋଠାରେ ପାଖାପାଖି ୨୦ ପରିବାର ରହୁଥିଲେ। ଏହି କୋଠାର ମାଲିକ ହେଉଛନ୍ତି ସେଖ୍ ଲାଲା। ପାରିବାରିକ ବିବାଦ ଯୋଗୁଁ ଏହା ବହୁବର୍ଷ ଧରି ମରାମତି ହେଉ ନଥିଲା। ଏହି କୋଠା ପାର୍ଶ୍ୱକୁ ଲାଗି କରି ପାଖାପାଖି ୧୫ ପରିବାର ରହୁଥିଲେ। ଏହି କୋଠା ଆଗରେ ପ୍ରାଥମିକ ସ୍କୁଲ ରହିଛି। ଏହି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ତାହାକୁ ଭଙ୍ଗାଯାଇ ନଥିଲା। ଏହି ଅସୁରକ୍ଷିତ କୋଠାର ଏକ ବାଲକୋନି ମରାମତି କରାଯାଉଥିଲା। ନଭେମ୍ବର ୮ତାରିଖ ଅପରାହ୍ଣ ପ୍ରାୟ ୪ଟା ୪୫ ବେଳେ ଏହି ବାଲକୋନି ହଠାତ୍ ଖସି ପଡ଼ିଥିଲା। ବାଲକୋନିର ସିମେଣ୍ଟ, ଇଟା ଜଲିଲ ଓ ତାଙ୍କ ପୁତୁରା ଅବଦୁଲ ସବିରଙ୍କ ଘରର ଆଜବେଷ୍ଟସ୍ ଉପରେ ପଡ଼ିଥିଲା। ଘର ଭିତରେ ଥିବା ଜଲିଲଙ୍କ ସମେତ ପୁଅ ଜାହିଦ ଓ ନାତି ମୁଜାହିଦ ଭିତରେ ଚାପି ହୋଇଯାଇଥିଲେ। ସେହିଭଳି ପୁତୁରା ସବିରଙ୍କ ଘର ଉପରେ ସିମେଣ୍ଟ ଖଣ୍ଡ ପଡ଼ିବାରୁ ପରିବାର ସଦସ୍ୟ ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ବକ୍ସିବଜାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଚାପି ହୋଇଯାଇଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଉଭୟ ପରିବାରର ୬ ଜଣ ଘର ବାହାରେ ଥିବାରୁ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା। ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କହିଥିଲେ।
