ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ବିବୃତ୍ତି- ‘ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’

ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚାର ବିବୃତ୍ତି- ‘ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’


ଭୁବନେଶ୍ୱର(ଏନ୍‌.ଏମ୍‌.): ଦିବ୍ୟଶଙ୍କର ମିଶ୍ର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ସେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ । ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ତେଣୁ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି । ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନଙ୍କ ନେତୃତ୍ୱରେ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡର ଅନୁଧ୍ୟାନ ପାଇଁ ଗତକାଲି ବିଜେପିର କେନ୍ଦ୍ରୀୟ ଟିମ୍ ପହଞ୍ଚିଥିଲା । ଏହି ଟିମ୍‌ରେ ବିଜେପି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୁପା ମିତ୍ର ପ୍ରମୁଖ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ । ତେବେ ସେଠାରୁ ତଥ୍ୟ ସଂଗ୍ରହ କରିବା ପରେ ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀଙ୍କ ଅନୁଯାୟୀ, ଏନସିଆରପି ରିପୋର୍ଟ ମୁତାବକ, ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଗତ୨- ୩ ବର୍ଷରେ ଏହା ୨୬ ପ୍ରତିଶତ ବୃଦ୍ଧି ପାଇଛି । ଓଡ଼ିଶା ସରକାର ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉ ନଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୋଲି ସେ କହିଥିଲେ । ଏନେଇ ବିଜେପି ଟିମ୍ ସଦସ୍ୟା କହିଛନ୍ତି ଯେ, ମମିତା ହତ୍ୟା ମାମଲାରେ ଅପରାଧୀଙ୍କର ଗୃହ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ୁଛି । ଉକ୍ତ ସ୍କୁଲକୁ ମନ୍ତ୍ରୀ ବାରମ୍ବାର ଯିବା, ସରକାରୀ ଅନୁଦାନ ଦେବା, ଅଭିଯୁକ୍ତ ଥାନା ବାରାକରୁ ଚମ୍ପଟ ମାରିବା, ଫୋରେନସିକ୍ ରିପୋର୍ଟ ଆସି ନଥିବା ବେଳେ ଉଦ୍ଧାର ଜିନିଷ ପରିବାର ଲୋକଙ୍କୁ ଦେଇଦେବା ଆଦି ଘଟଣା ସମ୍ପୂର୍ଣ୍ଣ ମାମଲାକୁ ରହସ୍ୟାବୃତ୍ତ କରୁଛି । ତେଣୁ ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ତେଣୁ ସିବିଆଇ ତଦନ୍ତ ହେଲେ ଏହା ପଛରେ ଥିବା ଷଡଯନ୍ତ୍ର ପଦାକୁ ଆସିପାରିବ ବୋଲି ଟିମ କହିଛି । ସେହିଭଳି ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ସବୁବେଳେ କ୍ରିୟା ହେଲେ ପ୍ରତିକ୍ରିୟା ହେବ । ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ନେଇ ଏବେ ପୁରା ରାଜ୍ୟ ଜଳୁଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହାର ଉତ୍ତର ଆଶା କରାଯାଉଛି । ପରିବାରର ମୁଖିଆ ହିସାବରେ ସେ ନିଜ ବିବୃତି ଦେବା ଉଚିତ । ଘଟଣାର ସିବିଆଇ ତଦନ୍ତ ନିମନ୍ତେ ରାଜି ହେବା ଉଚିତ । ଓଡ଼ିଶାବାସୀଙ୍କ ଆଖିକୁ ଦେଖି ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ । ସାଢେ ୪ କୋଟି ଓଡ଼ିଆଙ୍କ ମଧ୍ୟରୁ ଅଧା ମହିଳା । ଏହି ସମଗ୍ର ଘଟଣା ପରେ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ବିଜେପି ମହିଳା ଟିମ୍ ବି ଖୁବ୍ ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ସାଂସଦ ଷଡଙ୍ଗୀ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *