ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’
୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ


ଭୁବନେଶ୍ୱର (ଏନ୍‌.ଏମ୍‌.): ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ୨୯ ତାରିଖରେ ଭୁବନେଶ୍ୱରରେ ପହଁଚିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଏହି ବିଜୟ ମଶାଲ ଆଜି ସକାଳୁ ଆଇ.ଏନ.ଏସ୍ ଚିଲିକାରୁ ବାହାରି ଖୋର୍ଦ୍ଧା ଦେଇ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ହେଡ୍‌କ୍ୱାଟର୍ସ ଠାରେ ଅପରାହ୍ଣ ୩.୦୦ ସମୟରେ ପହଁଚିଥିଲା । ସ୍ଥାନୀୟ ପାୱାର ହାଉସ ଛକଠାରୁ ୧୨୦ବାଟାଲିୟନ ସୂର୍ଯ୍ୟଦ୍ୱାର ପର୍ଯ୍ୟନ୍ତ ଆର୍ମି.ଏ.ଡି.କଲେଜ୍ ଗୋପାଲପୁରର ପାଇପ୍ ବ୍ୟାଣ୍ଡ ଟ୍ରୁପ୍ ଧୂନର ତାଳେ ତାଳେ ଏବଂ ଜାତୀୟ ସେବା ସଂସ୍ଥା(ଏନ୍‌.ଏସ୍‌.ଏସ୍‌) କଲେଜ ଛାତ୍ରଛାତ୍ରୀମାନଙ୍କ ସ୍ଲୋଗାନ ମଧ୍ୟରେ ବିଜୟ ମଶାଲକୁ ଶୋଭାଯାତ୍ରାରେ ଅଣାଯାଇଥିଲା । ଦେଶର ମାନ-ବୀର ଜବାନ, ଦେଶର ସମ୍ମାନ -ବୀର ଜବାନ, ୧୯୭୧ ଯୁଦ୍ଧ ବୀର ଯବାନଙ୍କୁ ସମ୍ମାନ, ଜୟ ଜବାନ-କିଶାନ, ସୈନିକ ତୁମେ ମାତୃଭୂମିର ରକ୍ଷକ ଆଦି ସ୍ଲୋଗାନରେ ୧୨୦ ବାଟାଲିୟନ ପରିସରରେ ଦେଶାତ୍ମବୋଧ ଭାବାବେଗରେ ପ୍ରକମ୍ପିତ ହୋଇଥିଲା । ବ୍ରିଗେଡିୟର ପ୍ରଶାନ୍ତ ଚୌହାନ (ସେନା ମେଡାଲ) ତଥା କମାଣ୍ଡର ଛତିଶଗଡ-ଓଡିଶା ସବ୍ ଏରିଆ ଏଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଗ୍ରହଣ କରିଥିଲେ । ଅନ୍ୟ ସେନା ବରିଷ୍ଠ ପଦାଧିକାରୀ ଓ ଏନ୍‌.ସି.ସି କ୍ୟାଡେଟ୍‌ମାନଙ୍କ ଉପସ୍ଥିତିରେ ସଂପୂର୍ଣ୍ଣ ସେନା ମର୍ଯ୍ୟାଦାର ସହ ଏହି ପବିତ୍ର ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ସମ୍ପର୍ଦ୍ଧନା ମଧ୍ୟରେ ୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ସ୍ଥିତ ଅମର ଜବାନ ସହିଦସ୍ତମ୍ଭ ନିକଟରେ ଅବସ୍ଥାପିତ କରାଯାଇଛି । ଆସନ୍ତା କାଲିଠାରୁ ଏହି ବିଜୟ ମଶାଲ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରକୁ ଗସ୍ତ କରିବା ସହିତ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବ । ଏନ.ଏସ୍‌.ଏସ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍ତ୍ୱାବଧାନରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଏକାମ୍ର କଲେଜ, ବିଜୁ ପଟ୍ଟନାୟକ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ସିଟି ମହିଳା ମହାବିଦ୍ୟାଳୟ, ମହର୍ଷି ମହିଳା ମହାବିଦ୍ୟାଳୟ, ଆର୍‌.ଏମ୍‌.ଦେବ ଡିଗ୍ରୀ କଲେଜ, ପଟିଆ ଆଦିରୁ ଜାତୀୟ ସେବା ସଂଘ କଲେଜ ଛାତ୍ରଛାତ୍ରୀମାନେ ଏହି ବିଜୟ ମଶାଲ ସ୍ୱାଗତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *