ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବନ୍ଦ ପାଇଁ ମଜଦୁର ସଂଘର ଦାବି


କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘଦ୍ୱାରା ପରିଚାଳିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଗଠିତ ଏନ୍‌.ଆର୍‌.ଆର୍‌.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିୟନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇ ଯାଇଛି । ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିନୟ କୁମାର ସିହ୍ନା ଯୋଗଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶ୍ରୀଯୁକ୍ତ ସିହ୍ନା ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଭାରତୀୟ ମଜଦୁର ସଂଘ ଜାତୀୟସ୍ତରରେ ଏକ ସର୍ବବୃହତ ସଂଗଠନ ଭାବରେ ନିଜର ପରିଚୟ ଦେଇଆସିଛି । ଏହି ଶ୍ରମିକ ସଂଗଠନଟି ଶ୍ରମିକମାନଙ୍କୁ ନ୍ୟାୟ ଦେବାପାଇଁ ସବୁବେଳେ ଆନ୍ଦୋଳନ କରିଆସିଛି । ଶ୍ରମିକମାନେ ସରକାରଙ୍କର ନିର୍ଦ୍ଧାରିତ ହାରରେ ଯେପରି ପାରିଶ୍ରମିକ ପାଇବେ ସେ କ୍ଷେତ୍ରରେ ଭାରତୀୟ ମଜଦୁର ସଂଘ ସବୁବେଳେ ସତର୍କ ଦୃଷ୍ଟି ଦେଇ ଆସିଛି । ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ରହିଛି । ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ଜାରି ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ମଜଦୁର ସଂଘ କେନ୍ଦ୍ର ସରକାରଙ୍କ ନିକଟରେ ଶ୍ରମିକମାନଙ୍କର ଦାବି ଉପସ୍ଥାପନ କରିବ ବୋଳି ତାଙ୍କ ଉଦ୍‌ବୋଧନରେ କହିଥିଲେ । ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଓଡ଼ିଶା ପ୍ରଭାରୀ ଗଣେଶ ପ୍ରସାଦ ମିଶ୍ର, ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା, ସଂଗଠନ ସମ୍ପାଦକ ଗିରିଶ ମହାନ୍ତ, ଡେପୁଟି ଜେନେରାଲ୍ ସେକ୍ରେଟାରୀ ସାନ୍ତନୁ କୁମାର ମହାପାତ୍ର, ଜିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ସଭାପତି ଗୌରାଙ୍ଗ ଚରଣ ରଥ ପ୍ରମୁଖ ଉପସ୍ଥିତଥିଲେ । ସଂଘର ସାଧାରଣ ସମ୍ପାଦକ ସୁଧୀର କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *