ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର

#ଭୁବନେଶ୍ୱର(ଏନ୍.ଏମ୍.): ଏଥର ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଆସିଛି ଖୁସିର ଖବର । ରାଜ୍ୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ଶେଷରେ ସେମାନଙ୍କ ପାରିତୋଷିକ ଓ ଭତ୍ତା ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚଙ୍କ ଭତ୍ତା ବୃଦ୍ଧି ହୋଇଛି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସକୁ ପାଇବେ ୩୦ ହଜାର ଟଙ୍କା । ସେହିପରି ଜିଲ୍ଲା ପରିଷଦ ଉପସଭାପତି ମାସିକ ୨୦ ହଜାର ଟଙ୍କା, ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ ହଜାର ଟଙ୍କା ହୋଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ ହଜାର ଏବଂ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭ ହଜାର ୫୦୦ ଟଙ୍କା । ଆଗରୁ ସରପଞ୍ଚ ୨ହଜାର ୩୫୦ ଟଙ୍କା ପାଉଥିବାବେଳେ ଏବେ ପାଇବେ ମାସିକ ୧୦ ହଜାର ଟଙ୍କା । ସେହିପରି ନାଏବ ସରପଞ୍ଚ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏଣିକି ପାଇବେ ୪ ହଜାର ଟଙ୍କା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ବେଶ୍ ଖୁସି ହୋଇପଡ଼ିଛି ରାଜ୍ୟ ସରପଞ୍ଚ ମହାସଂଘ । ଏନେଇ ରାଜ୍ୟ ସରପଞ୍ଚ ମହାସଂଘ ୧୫ ଦଫା ଦାବି ନେଇ ବହୁ ଦିନ ହେବ ଆନ୍ଦୋଳନ ଚଳାଇ ଆସିଥିଲା । ଏହାପରେ ପାରିତୋଷିକ ବୃଦ୍ଧି କରା ଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସରପଞ୍ଚ ମହାସଂଘ କୃତଜ୍ଞତା ଜ୍ଞାପନ କରିଛନ୍ତି ।
