ଶ୍ରମ ଅଧିକାରୀଙ୍କ ମେରୀ ରାୟ ନୀତି: ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା ରାଶି

ଶ୍ରମ ଅଧିକାରୀଙ୍କ ମେରୀ ରାୟ ନୀତି: ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା ରାଶି


#ପାଟଣାଗଡ଼ (ଏନ୍‌.ଏମ୍‌.): ସରକାର ଶ୍ରମିକମାନଙ୍କର କଲ୍ୟାଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ମେରୀ ରାୟନୀତି ଯୋଗୁଁ ସରକାରୀ ସହାୟତା ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇ ରହି ଯାଉଛି । ସେଥି ମଧ୍ୟରୁ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଘର, ସାଇକେଲ, ଯନ୍ତ୍ରପାତି, ବୋଟ୍ ଟୋପି, ହଏଣ୍ଡଗ୍ଳୋଭ ଆଦି ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ଯୋଗାଇ ଦେଉଥିବାବେଳେ ଅନେକ ହିତାଧିକାରୀ ଉକ୍ତ ଯୋଜନାରୁ ସରକାରୀ ସହାୟତା ରାଶି ପାଇବାରେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ଡାହିମାଲ ଗ୍ରାମର ଝଗଡୁ ଦେଓ, ହରିହର ବାଗ, ଯଶୋବନ୍ତ ବାଗ, ମନବୋଧ ସାହୁ,ଋଷୁ ଦେଓ, ରାଧେଶ୍ୟାମ ମାଝି, ଯୁବା ଗ୍ରାମର ଗୌରୀ ବରିହା, ସତ୍ୟବାଦୀ ବରିହା, ପାଟଣାଗଡ଼ ବ୍ଳକର ମଥୁରା ତମୁନିଆ, ରଘୁମଣି ମାଝୀ, ମିଟୁ ବିଶ୍ୱାଳ, ଋଷଭ ସାହୁ, ବିଶ୍ୱାମିତ୍ର ହରିପାଲ, ଶ୍ରୀକର ସାହୁ, ପୁରନ୍ଦର ସାହୁ, ସନୂ ଖୁଟୁଲା, ବସୁଦେବ ଭୋଇ, ଈଲାବତୀ ଧରୁଆ, ବସନ୍ତ ପ୍ରଧାନ, ଧନକର ନାଗ, ମନୋଜ ନାଏକ ପ୍ରମୁଖ ଶ୍ରମିକ କାର୍ଡ ହିତାଧିକାରୀମାନେ ବିବାହ ଓ ମୃତ୍ୟୁ ସହାୟତା ରାଶି ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି । ସହାୟତା ରାଶି ପାଇବା ପାଇଁ ବାରମ୍ବାର ଜିଲ୍ଲା ଶ୍ରମଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଗତ ୨୦୨୧ ମସିହାରେ ଡାହିମାଲ ଗ୍ରାମର ମନବୋଧ ସାହୁ ତାଙ୍କ ଝିଅ ବାହାଘର ପାଇଁ ଆବେଦନ କରିଥିଲେ; ହେଲେ ଅଫିସଙ୍କୁ ଦୌଡ଼ି ଦୌଡ଼ି ନିରାଶ ହୋଇପଡିବା ସହ ତାଙ୍କର ଦେହାନ୍ତ ହୋଇଯାଇଥିଲେ ସୁଦ୍ଧା ତାଙ୍କର ପରିବାର ବର୍ଗଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସହାୟତା ରାଶି ମିଳିନାହିଁ । ସହାୟତା ରାଶି ମିଳିବା ପାଇଁ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ଶ୍ରମଅଧିକାରୀ ସୁକାନ୍ତ ସେଠୀ ଓ ଡାଟାଅପରେଟର ସଂଗୀତାରାଣୀ ମହାନା, ଗ୍ରାମାଞ୍ଚଳ ଶ୍ରମ ଅଧିକାରୀ ପ୍ରଶାନ୍ତ ସୁନାଙ୍କୁ ହିତାଧିକାରୀମାନେ ଗୁହାରି କରିବାକୁ ଗଲେ ଅଧିକାରୀ ବାବୁ ଜଣକ ମୁଁ କିଛି ଜାଣେ ନାହିଁ ଡାଟାଅପରେଟରଙ୍କ ପାଖକୁ ଯାଇ ବୁଝ ସେ ଜାଣିବେ ବୋଲି କହୁଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ସମ୍ପୃକ୍ତ ଅଧିକାରୀ ଜଣକ ଶ୍ରମିକଙ୍କୁ ନାଲି ଆଖି ଦେଖାଇ ଏଇଟା ତୁମ ଘର ନୁହେଁ ଅଫିସ କହି ହିତାଧିକାରୀମାନଙ୍କୁ ଅଫିସରୁ ବାହାର କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଉକ୍ତ ଯୋଜନା ପାଇବାରେ ଯୋଗ୍ୟ ହିତାଧିକାରୀ ମାନଙ୍କର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଅଧିକାରୀ ଦ୍ୱାରା ସରିଯାଇଥିବା ବେଳେ ମଧ୍ୟ ସରକାରୀ ସହାୟତା ରାଶି ମିଳିନାହିଁ । ଅପରପକ୍ଷରେ କେତେ ଜଣ ହିତାଧିକାରୀମାନଙ୍କର ସହାୟତା ରାଶି ମିଳିବା ପାଇଁ ଆବେଦନ କରିଥିବା ଆବେଦନ ଫର୍ମ ମଧ୍ୟ ହଜିଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦୁର୍ଭାଗ୍ୟ ଜନକ ବୋଲି ଚର୍ଚ୍ଚା ହେଉଛି । ତେବେ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *