ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୟଦେବ ଭବନ ଠାରେ ଆୟୋଜିତ ସମାବେଶରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଯୋଗଦେଇ ସାମ୍ବାଦିକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରିଆସୁଛନ୍ତି; ତେବେ ସାମ୍ବାଦିକମାନେ ପକ୍ଷପାତି ନକରି ସମାଜର ହିତକୁ ଦୃଷ୍ଟିରେ ରଖି ନୀତି ନୈତିକତା ବଜାଇ ରଖି ସାମ୍ବାଦିକତା କରି ବୃତ୍ତିକୁ ଗୌରବାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସାମ୍ବାଦିକଙ୍କ ସୁରକ୍ଷା ସକାଶେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ୱରକୁ ଆସୁଥୁବା ରାଜ୍ୟର ସାମ୍ବାଦିକମାନଙ୍କ ରହଣି ସକାଶେ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବା ଦାବିର ଯଥାର୍ଥତା ରହିଥିବା ସହ ଦାବି ପୂରଣ କରିବା ପାଇଁ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମନ୍ତ୍ରୀ ଓ ଅତିଥିମାନେ ପ୍ରତିଶ୍ରୁତି ଦେଇଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ସହ, ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା, ଭବିଷ୍ୟତ ନିଧି ଓ କର୍ମଚାରୀ ବୀମା ଯୋଜନା ସରକାରଙ୍କ ଶ୍ରମବିଭାଗରେ ସିଡୁଲ ଅଫ ଏମ୍ପୋଲୟମେଣ୍ଟରେ ନାମକୁ ସଂଶ୍ଲିଷ୍ଟ କରି ନୋଟିଫିକେସନ ଜାରି କରାଯିବା, ୬୦ ବର୍ଷ ପୂରଣ କରିଥିବା ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା କରାଇବା ଆଦି ଦାବିଗୁଡିକ ପୂରଣ କରିବା ନିମନ୍ତେ ଏସୟୁଜେ ସଂଘ ପକ୍ଷରୁ ରାଜ୍ୟ ସଭାପତି କୈଳାଶ ନାୟକ ଦାବି ରଖିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ସକାଶେ ସଂଘ ବଦ୍ଧପରିକର ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତି ରଞ୍ଜନ ଘଡାଇ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ଅନନ୍ତ ନାରାୟଣ ଜେନା, ଏନୟୁଜେଆଇ ସଭାପତି ଅଶୋକ ମଲିକ, ଏନୟୁଜେଆଇ ମହାସଚିବ ସୁରେଶ ଶର୍ମା, ସମ୍ପାଦକ ବବୁଲ ସିଂ ପ୍ରମୁଖ ଯୋଗଦେଇ ରାଜ୍ୟ ସଂଘଠର ଉଦ୍ୟମକୁ ପ୍ରଂଶସା କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟ ଉପସଭାପତି କୀର୍ତ୍ତିଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ସଂଘର ସ୍ମରଣିକା ସଂକଳ୍ପ ଉନ୍ମୋଚନ କରାଯାଇଥିଲା । ଏନୟିଜେଆଇ ସଦସ୍ୟ ପ୍ରୟାଗ ରାଜ କର, ଚିନ୍ତାମଣି ପାଢି, ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ଦୁଷ୍ମନ୍ତ ପଣ୍ଡା, ସମ୍ପାଦକ ହେମାଙ୍ଗ ରାଉଳ, ସଂଗଠନ ସମ୍ପାଦକ ସନ୍ତୋଷ ସ୍ୱାଇଁ, ରାଧେଶ୍ୟାମ ପ୍ରଧାନ, ଅନୁଗୁଳ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ପାଣିଙ୍କ ସମେତ ନେତୃବୃନ୍ଦ ସହଯୋଗ କରିଥିଲେ । ସଂଘର ସମସ୍ତ ସଦସ୍ୟଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲାରୁ ୬୦୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଇଥିଲେ । ରାଜ୍ୟ ଉପ ସଭାପତି ବାସୁଦେବ ତ୍ରୀପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *