ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ


#ପୁରୀ(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତେବେ ଜଗିବ କିଏ? ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ତାଙ୍କ ନାଁ ପ୍ରଦୀପ୍ତ କୁମାର ମହାପାତ୍ର । ତାଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ନିଲମ୍ବନ କରାଯିବା ସହିତ ସିଂହ ଦ୍ୱାର ଥାନାରେ ତାଙ୍କ ନାଁରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲରେ ଟଙ୍କା ଗଣତି ବେଳେ ପ୍ରଦୀପ୍ତ କୁମାର ମହାପାତ୍ର ଚୋରି କରିଥିଲେ । ସିସିଟିଭି ଫୁଟେଜରୁ ତାଙ୍କ ଚୋରି ଧରାପଡ଼ିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଜେରା କରାଯାଇଛି । ପ୍ରାୟ ୭ ଦିନ ପାଇଁ ଏହି କର୍ମଚାରୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ । ତେବେ ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନଯିବା ଓ ହୁଣ୍ଡି ଗଣତିରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ୱ ଦିଆଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଭଳି ଘଟଣା ପଦାକୁ ଆସିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହେବା ସହ ସେବାରେ ବିଶ୍ୱାସଘାତକ କରିଥିବା ସେବାୟତଙ୍କୁ ତୁରନ୍ତ ବହିଷ୍କାର କରିବା ସହ ତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆଗାମୀ ଦିନରେ ଏଭଳି ତ୍ରୁଟିର ଯେଭଳି ପୁନରାବୃତ୍ତି ନହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ତୀକ୍ଷ୍ନଦୃଷ୍ଟି ହେବାକୁ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *