ସିଏମସି ୪୮ ନମ୍ବର ୱାର୍ଡରେ ମାସେ ନପୁରୁଣୁ ଡ୍ରେନ ଉପରୁ ଭାଙ୍ଗିଲା ସ୍ଲାବ
ନିମ୍ନମାନର କାମ ଯୋଗୁ ବଢୁଛି ଅସନ୍ତୋଷ
#ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମର ଦୁର୍ନୀତି ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏପରିକି ବିଭିନ୍ନ ପ୍ରକଳ୍ପରେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ନିମ୍ନମାନର କାର୍ଯ୍ୟକରି ସରକାରୀ ଅର୍ଥକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ପଣ୍ଡା ସାହି ଗ୍ରାମ ଦୋଳମଣ୍ଡପ ତ୍ରିଛକ ରାସ୍ତା ମଝିରେ ଯାଇଥିବା ଏକ ଡ୍ରେନ ଉପରେ ପ୍ରାୟ ୧ ମାସ ହେବ ପଡିଥିବା ନୂଆ ସ୍ଲାବ ମଧ୍ୟରୁ ଅନେକ ଗୁଡିଏ ସ୍ଲାବ ଭାଙ୍ଗିରୁଜି ଡ୍ରେନ ଭିତରେ ପଡିଥିବା ଦେଖିବାକୁ ମିଳିଛି । ନିମ୍ନମାନର ସ୍ଲାବ ହୋଇଥିବାରୁ ଏହିପରି ମାସେ ନପୁରୁଣୁ ପ୍ରାୟ ସ୍ଲାବଗୁଡିକ ଭାଙ୍ଗି ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରାୟ ଏକ ବର୍ଷ ପୂର୍ବେ ଏହି ତ୍ରିଛକ ରାସ୍ତା ଓ ଡ୍ରେନ କାମ ସଂପୂର୍ଣ୍ଣ କରାଯାଇ ଥିଲା । ତେବେ ବର୍ଷକ ମଧ୍ୟରେ ସ୍ଲାବ ଗୁଡିକ ନଷ୍ଟ ହୋଇ ଭାଙ୍ଗି ରୁଜି ପଡିବାରୁ ଟେଣ୍ଡର ହୋଇ ପୁଣି ଆଉଥରେ ପ୍ରାୟ ଏକ ମାସ ପୂର୍ବେ ନୂତନ ସ୍ଲାବ ଡ୍ରେନ ଉପରେ ପକାଯାଇଥିଲା । ପୁନଶ୍ଚ ନୂତନ ସ୍ଲାବ ପଡିବାର ଏକ ମାସ ନପୁରୁଣୁ ଯଥା ପୂର୍ବଂ ତଥା ପରଂ ଅବସ୍ଥା ଦେଖିବାକୁ ମିଳିଥିଲା । ତେବେ ରାସ୍ତା ଉପରେ ସ୍ଲାବ ଗୁଡ଼ିକ ଭାଙ୍ଗିଯାଇଥିବାରୁ ମୁକୁଳା ଡ୍ରେନରେ ବହୁ ଜନସାଧାରଣ ଆହତ ହେଉଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ ସେମାନେ ସିଏମସିକୁ ଯେତିକି ଟିକସ ଦେଉଛନ୍ତି ସେ ଅନୁପାତରେ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ । ତେବେ ଏ ବିଷୟରେ ସ୍ଥାନୀୟ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରାଙ୍କୁ ପଚାରିବାରେ ସେ କହିଥିଲେ ଯେ ସେହି ରାସ୍ତା ଦେଇ ପ୍ରତିଦିନ ୨୦ରୁ ୩୦ଟି ଇଟା, ପଥର ଓ ବାଲି ବୋଝେଇ ଟ୍ରକ, ଟ୍ରାକଟର ଓ ହାଇୱା ଯିବା ଆସିବା କରିବା ଦ୍ୱାରା ସ୍ଲାବ ଗୁଡିକ ଶିଘ୍ର ଭାଙ୍ଗି ଯାଉଛି । ଅନ୍ୟପକ୍ଷରେ ସେହି ଫକିରପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ କଂକ୍ରିଟ ରାସ୍ତା ଖୋଳା ଯାଇ ଏକ ନୂତନ ଡ୍ରେନ ନିର୍ମାଣ କାମ ଚାଲୁଛି । ସେଥିପାଇଁ ଗ୍ରାମବାସ ମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି । ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଅନେକ ଲୋକ ପ୍ରାୟ ୨ରୁ ୩ କିଲୋମିଟର ବୁଲିକି ଯିବାକୁ ପଡୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।
