ରାଉରକେଲାରେ ହଇଜା: ଆଉ ଜଣେ ଆଖି ବୁଜିଲେ, ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି

#ରାଉରକେଲା(ଏନ୍.ଏମ୍.): ହଇଜା ସଂକ୍ରମଣ ରାଉରକେଲାରେ ସାମାନ୍ୟ କମିଥିଲେ ମଧ୍ୟ ସ୍ଥିତି ଉଦ୍ବେଗଜନକ ରହିଛି । ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ଶୁକ୍ରବାର ଅପରାହ୍ଣରେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ମୃତକ ହେଲେ ରାଉରକେଲା ପାୱାରହାଉସ୍ ରୋଡ ଅଞ୍ଚଳର ପଙ୍କଜ ମଣ୍ଡଳ (୪୨) ବୋଲି ଜଣାପଡ଼ିଛି । ସେ ହାଇଟେକ୍ ମେଡିକାଲରେ ଭର୍ତ୍ତି ହେଇଥିଲେ । ଏବେ ଆହୁରି ଅନେକ ହଇଜା ସଂକ୍ରମିତ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍), ହାଇଟେକ୍ ମେଡିକାଲ, ବେଦବ୍ୟାସସ୍ଥ ଜୟପ୍ରକାଶ ହସ୍ପିଟାଲ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଚିକିତ୍ସାଧୀନ ଅଛନ୍ତି । ସ୍ମାର୍ଟସିଟରେ ହଇଜା ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନଥିବାରୁ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏଥିପାଇଁ ଅଞ୍ଚଳବାସୀ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶକ୍ତିନଗରରେ ଲାଗିଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ହୋର୍ଡିଙ୍ଗରେ କଳା ଲଗାଇ ଦେଇଛନ୍ତି । ଏହା ରାଜନୈତିକ ଦଳ ନା ଅନ୍ୟ କୌଣସି ଲୋକ ଲଗାଇଛନ୍ତି, ସେନେଇ ସ୍ପଷ୍ଟ ହୋଇନି । ସହରରେ ହଇଜା ବ୍ୟାପିବା ପରେ ସହରକୁ ଯୋଗାଣ ହେଉଥିବା ପାନୀୟ ଜଳର ମାନକୁ ଦନଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି । ଲୋକେ ତାତିଛନ୍ତି । ତେବେ ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍ ଟାଉନସିପ୍, ପାନପୋଷରୁ କୋଏଲ ନଗର; ଏବେ ସବୁଠି ସ୍ଥିତି ଗମ୍ଭିର । କେବଳ ରାଉରକେଲା ସହର ନୁହେଁ, ବନ୍ଧମୁଣ୍ଡା, ବିଶ୍ରା, କୁଆଁରମୁଣ୍ଡା, ଲାଠିକଟାରେ ଲୋକମାନେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ପାନୀୟ ଜଳରୁ ଏହି ହଇଜା ବ୍ୟାପୁଥିବା ସନ୍ଦେହ କରାଯାଉଥିବା ବେଳେ କାରଣ ଖୋଜିବା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି ଏସ୍ସିବି ଓ ଆରଏମ୍ଆରସିର ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ହଇଜା ବ୍ୟାପୁଥିବା ଅଞ୍ଚଳ ବୁଲି ସ୍ଥିତି ପରଖିବା ସହିତ ଲୋକଙ୍କ ସହିତ ଆଲୋଚନା କରିଛି । ଏପରିକି ପାଣିର ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି ।
