News by Maheswar Behera (Athagarh)

ଆରତୀ ଷ୍ଟିଲ କମ୍ପାନୀର ମନମୁଖୀ କାର୍ଯ୍ୟ ନେଇ କୁହୁଳୁଛି ଅସନ୍ତୋଷ

News by Maheswar Behera (Athagarh)

#ଆଠଗଡ଼(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳର ଆରତୀ ଷ୍ଟିଲ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ନେଇ କଖଡି ପଞ୍ଚାୟତରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ପାର୍ଶ୍ୱରେ ଆରତୀ ଷ୍ଟିଲ କମ୍ପାନୀ ରହିଥିବା ବେଳେ ଏହି ପଞ୍ଚାୟତର ଲୋକମାନଙ୍କୁ ନିୟମ ଅନୁଯାୟୀ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । କିଛି ଦାବି ପୂରଣ ପାଇଁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଆଦୌ ଗୁରୁତ୍ୱ ଦେଉନାହାନ୍ତି । ଉକ୍ତ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ସରପଞ୍ଚ କଳ୍ପନା ଛତାର ଓ ସମିତି ସଭ୍ୟଙ୍କ ଦ୍ୱାରା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନାଦିଆଯାଇଛି । ପଞ୍ଚାୟତର ଦାବି ଅନୁଯାୟୀ ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା, କମ୍ପାନୀର ମନମୁଖୀ ପାଣି ନେବା, କମ୍ପାନୀରୁ ନିର୍ଗତ ଦୂଷିତ ଜଳକୁ ମହାନଦୀରେ ନ ମିଶାଇବା, କମ୍ପାନୀ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାମ ନହେବା, ସ୍ଥାନୀୟ ଲୋକମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନକରିବା, ବୃକ୍ଷରୋପଣ ନକରିବା, ସ୍ଥାନୀୟ ସ୍କୁଲ ଗୁଡିକରେ ବିକାଶ ପାଇଁ ପଦକ୍ଷେପ ନନେବା, କୌଣସି ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା ନକରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି ହାତୀ ଚଲାପଥରେ ପାଚେରୀ କରିବା ଦ୍ୱାରା ହାଥୀମାନେ ଦିଗହରା ହୋଇ ଚାଷୀମାନଙ୍କ ଫସଲ ନଷ୍ଟ କରି କରୁଛନ୍ତି । ଏଥିସହିତ ଏହି କମ୍ପାନୀ ଜଙ୍ଗଲ ଜମି ଅଧିକୃତ କରିବା ଦ୍ୱାରା ବହୁ ବନ୍ୟଜନ୍ତୁ ତଥା ହରିଣ, ଠେକୁଆ, ବାରହା ଆଦି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛନ୍ତି । ଅନ୍ୟପକ୍ଷେ, ମହାନଦୀରୁ ବେଆଇନ ଭାବେ ପାଣି ଚୋରି କରି ସରକାରଙ୍କ ରାଜସ୍ୱ ହାନି କରିବା ସହ ଏହି କମ୍ପାନୀ ଯୋଗୁଁ ଅଞ୍ଚଳବାସୀ ପ୍ରଭାବିତ ହେଉଥିଲେ ମଧ୍ୟ ଏଥିପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଛି । ଏହି ସବୁ ଦାବି ଗୁଡିକ ଯଦି ଆସନ୍ତା ୧୫ ତାରିଖ ମଧ୍ୟରେ ସମାଧାନ ନହୁଏ ତେବେ ବିଶାଳ ଗଣ ବିକ୍ଷୋଭ କରାଯିବ ବୋଲି କଖଡି ପଞ୍ଚାୟତର ସରପଞ୍ଚ କଳ୍ପନା ଛତାର ଓ ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *