ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ମୌଜା ଅନ୍ତର୍ଗତ ମାଛମଲା ବସ୍ତି ନିକଟରେ ସଡ଼କ ଦୁର୍ଘଟଣା ଘଟି ଗୁରୁବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଜଣକ ଉକ୍ତ ବସ୍ତିର ଶ୍ରୀକାନ୍ତ ହେମ୍ବ୍ରମ୍(୪୦) ଓ ସେ ଟ୍ରାକ୍ଟର ତଥା ପାୱାର ଟ୍ରିଲର ଚାଳକଭାବେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ଶୌଚ ହେବା ପାଇଁ ବାହାରକୁ ଆସି ରାସ୍ତା ପାରବେଳେ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ସହ ସ୍ଥାନୀୟ ବାସିନ୍ଦା ଭଗତପୁର-କାନପୁର ରାସ୍ତାକୁ ଅବରୋଧ କରି କ୍ଷତିପୂରଣ ଦାବିରେ ମୃତଦେହ ଛାଡ଼ିନଥିଲେ । ଫଳରେ ଦୀର୍ଘ ୬ଘଣ୍ଟା କାଳ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଟାଙ୍ଗୀଥାନା ଭାରପ୍ରାପ୍ତ ଅଧିକାରୀ ସୁଚ୍ଚିତ୍ରବିର୍ଯ୍ୟ ଦାସ ଓ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ ନାୟକ ପହଞ୍ôଚ ରେଡ଼୍କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ମଧ୍ୟ ଲୋକେ ରାସ୍ତାରୁ ହଟିନଥିଲେ । ସ୍ଥାନୀୟ ଅଞ୍ଚଳରେ ପରିଚାଳିତ ସିମେଣ୍ଟ କମ୍ପାନୀକୁ ଚଳାଚଳ କରୁଥିବା ଭାରୀଯାନ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି, କମ୍ପାନୀ କର୍ତ୍ତୃପକ୍ଷ ନଆସିଲେ ଆମେ ଉଠିବୁ ନାହିଁ ବୋଲି ଜଣାଇଥିଲେ । ମାତ୍ର କମ୍ପାନୀ ପକ୍ଷରୁ କାହାରି ଦେଖା ମିଳିନଥିଲା । ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଆଇଆଇସି ଶ୍ରୀ ଦାସ, ସ୍ଥାନୀୟ ସମିତି ସଭ୍ୟ ରାଜେଶ ରଞ୍ଜନ ଷଡ଼ଙ୍ଗୀ, ସରପଞ୍ଚ ପ୍ରତିନିଧି ବାବୁଲି ସାହୁ ଓ ଶାଳଗାଁ ସମିତି ସଭ୍ୟ ତଥା ସିପିଆଇ(ଏମ୍) ନେତା ରମେଶ ବେହେରା ପ୍ରମୁଖ ମୃତ ଶ୍ରୀକାନ୍ତଙ୍କ ବିଧବା ପତ୍ନୀ ଯମୁନା ଏବଂ ନାବାଳିକା ଝିଅକୁ ସାଙ୍ଗରେ ଧରି ସିମେଣ୍ଟ କମ୍ପାନୀ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ଦୀର୍ଘ ସମୟ ଆଲୋଚନା ପରେ ମୃତକଙ୍କ ପୁତ୍ର ରାମଚନ୍ଦ୍ର ହେମ୍ବ୍ରମ୍(୧୮)ଙ୍କୁ ଶ୍ରମିକଭାବେ ସ୍ଥାୟୀ ନିଯୁକ୍ତି ସହ ଉକ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ ରାଜି ହୋଇଥିଲେ । କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମିଳିବାପରେ ମୃତଦେହ ରାସ୍ତାରୁ ହଟିବା ସହ ବ୍ୟବଚ୍ଛେଦ ନିମନ୍ତେ ପ୍ରେରଣ କରାଯାଇଥିଲା । ଟାଙ୍ଗୀ ପୁଲିସ୍ ଏକ ଅପମୃତ୍ୟୁ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରଛି ।