୨୭ତମ ଭାରତ ପ୍ରତିଭା ସମ୍ମାନ: ଡକ୍ଟର ଅଚ୍ୟୁତ ସାମନ୍ତ ପାଇବେ ଭାରତ ଗୌରବ

#କଟକ(ଏନ୍.ଏମ୍.): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭାରତ ମସଲା ପକ୍ଷରୁ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଆସନ୍ତା ସେପ୍ଟେମ୍ବର ୧୪ତାରିଖ ପଚିତ୍ର ଗଣେଶ ପୂଜା ଅବସରରେ ସ୍ଥାନୀୟ ସହିଦ ଭବନ ପରିସରରେ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯିବା ସହ ଆର୍ଥକ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପିଣ୍ଡା ପ୍ରକାଶ କରିଛନ୍ତି। ସେହିପରି ଜୟ ଭାରତ ଫାଉଣ୍ଡେସନକୁ ସହଯୋଗ କରି ଆସୁଥିବା ଭାରତ ମସଲା କମ୍ପାନୀ ପକ୍ଷରୁ ନୂତନ ଭାବରେ ଶିଳ୍ପ କ୍ଷେତ୍ରରେ ରାଜ୍ୟର ନାମକୁ ଶୀର୍ଷରେ ପହଞ୍ଚାଇ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ “ଉଦ୍ୟୋଗ ଭାରତ’ ସମ୍ମାନ ପ୍ରଦାନ କରାଯିବ ବୋଲି ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ୧୯୯୯ ମସିହାରୁ ଜନ୍ମ ନେଇଥିବା ଭାରତ ମସଲା ଆଜି ତାର ମାନ, ପରିମାଣ, ଗୁଣବତ୍ତା ପାଇଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ବ୍ୟବସାୟିକ କ୍ଷେତ୍ରରେ ନୁହେଁ ରାଜ୍ୟରେ ଘଟୁଥିବା ବିଭିନ୍ନ ଦୈବଦୁର୍ବିପାକ ସମୟରେ ସାମାଜିକ ଦାୟିତ୍ୱ ବୋଧତାକୁ ମଧ୍ୟ ସୂଚାରୁ ରୂପେ ତୁଲାଇ ଆସୁଛି। ଗତ ତିନିବର୍ଷ ଧରି ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ସଂପାଦିକା ନନ୍ଦିତା ପଣ୍ଡାଙ୍କ ପ୍ରଚେଷ୍ଟାରେ ବାର୍ଷିକ ସାହିତ୍ୟ ପତ୍ରିକା “ସମ୍ଭବାମି ଭାରତ’ ପ୍ରକାଶ କରିବାର ପ୍ରୟାସ ଜାରି ରଖିଛି। ଏହି ଅବସରରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କିମ୍ସ, କିସ୍ର ପ୍ରତିଷ୍ଠାତା ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’ ପ୍ରଦାନ କରାଯିବ। ଏଥିସହିତ ଭାରତୀୟ ନୌସେନାର ଭାଇସ୍ ଆଡମିରାଲ୍ କ୍ୟାପ୍ଟେନ୍ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ସମାଜବିଜ୍ଞାନୀ, ଭାଷା ତତ୍ତ୍ୱବିତ୍ ଓ ସାରସ୍ୱତ ସାଧକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ “କଥା ଭାରତ ସମ୍ମାନ’, ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟା କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ “ସଂସ୍କୃତି ଭାରତ ସମ୍ମାନ’, କ୍ରୀଡ଼ା କ୍ଷେତ୍ରରେ ସଫଳ କ୍ରିକେଟିୟର ରାଜେଶ କୁମାର ମହାନ୍ତଙ୍କୁ “କ୍ରୀଡା ଭାରତ ସମ୍ମାନ’, ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ବଲପୁର ଜିଲ୍ଲା ବଢ଼ିବାହାଲ ବାମରା ଅଞ୍ଚଳର ଲତା ବାଗ୍ ଓ ପୁଷ୍ପଲତା ସାହୁଙ୍କୁ “ଉଦ୍ୟୋଗ ଭାରତ ସମ୍ମାନ ପ୍ରଦାନ କରାଯିବ ସେହିଭଳି ଶିକ୍ଷା କ୍ଷେତ୍ରରେ +୨ ବିଜ୍ଞାନ, ବାଣିଜ୍ୟ ଓ କଳାରେ ଯଥାକ୍ରମେ ମେଧା ବିଦ୍ୟାର୍ଥୀ କମଳାକାନ୍ତ ରଣା, ଶୁଭମ୍ ନାୟକ ଓ ଅଙ୍କିତା ନାୟକଙ୍କୁ ‘ବିଦ୍ୟାଭାରତ ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲାର ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା ଓ ନିର୍ଦ୍ଦେଶିକା ଏସ୍ଏନ୍ ମିଲେନିୟମ୍, ଡିଏମ୍ ବିପିନ୍ ଭାରତ, ଡିଏମ୍ ଅପରେସନ୍ ଅରୁଣ କୁମାର ନାୟକ, ଜିଏମ୍ ପ୍ରତିନ୍ତନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

