ପ୍ରଭାତଙ୍କ ଦଳବଦଳର ସୁଯୋଗ ନେବ ବିଜେଡି
ଚୌଦ୍ୱାର-କଟକରେ ପ୍ରତାପ ଜେନାଙ୍କ ସାମ୍ରାଜ୍ୟ ବିସ୍ତାର

#choudwar-cuttack #ଚୌଦ୍ୱାର (ଏନ୍.ଏମ୍.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ନେତୃତ୍ୱଶୂନ୍ୟ ହୋଇପଡ଼ିଥିଲା। ମାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବା ପରେ ଏବେ ଦଳରୁ ହାରାସ ହୋଇଥିବା କର୍ମୀମାନେ ପୁଣି ଦଳମୁହାଁ ହୋଇଛନ୍ତି। ଶ୍ରୀ ଜେନାଙ୍କ ମାରାଥନ୍ ଗସ୍ତ ପରେ ଚୌଦ୍ୱାରର ରାଜନୈତିକ ପଟ୍ଟଚିତ୍ରରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ସିଧାସଳଖ ମିଶିବା, କର୍ମୀଙ୍କ ସହ ଆଲୋଚନା ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ବିଜେଡି କର୍ମୀଙ୍କ ମଧ୍ୟରେ ନୂଆ ଆଶା ଓ ଉତ୍ସାହ ସଞ୍ଚାର କରିଛି ବୋଲି ବିଜେଡି କର୍ମୀମାନେ ପ୍ରକାଶ କରିଛନ୍ତି। ପ୍ରତାପ ଜେନାଙ୍କ ଏହି ମାରାଥନ କାର୍ଯ୍ୟକ୍ରମରେ ବରିଷ୍ଠ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ସାମଲ, ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉପାଧ୍ୟକ୍ଷ ଧିରେନ୍ଦ୍ର ଜେଠୀ, ହରିଅନ୍ତା ସରପଞ୍ଚ ସୋଫିଆ ବିବି, ଶ୍ରୀମନ୍ତ ଜେନାଙ୍କ ସହ ଚୌଦ୍ୱାର ପୌରଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କାଉନସିଲର ଅଜୟ ବେହେରା, ଅର୍ଜୁନ ବେହେରା, ଆଶୁତୋଷ ଦାସ, ବିଜୟ ସାହୁ, ବିମଳ ବେଉରା ପ୍ରମୁଖ ଚୌଦ୍ୱାର-କଟକ ଅଞ୍ଚଳର ବିଭିନ୍ନ ସ୍ଥାନଗସ୍ତ କରିଥିଲେ। ଗସ୍ତ ସମୟରେ ବିଭିନ୍ନ କ୍ଲବ, ପାଠାଗାର, ସ୍ଥାନୀୟ ମୁରବି ଓ ସାଧାରଣ ଲୋକଙ୍କ ସହ ନେତାମାନେ ଆଲୋଚନା କରିଥିଲେ। ଚୌଦ୍ୱାରର ରାଜନୈତିକ ପରିବେଶକୁ ନିକଟରୁ ଦେଖିଲେ, ପ୍ରତାପ ଜେନାଙ୍କ ଏହି ଗସ୍ତ କେବଳ ଏକ ସାଧାରଣ ସାଂଗଠନିକ କାର୍ଯ୍ୟକ୍ରମରେ ସୀମିତ ରହିନଥିବା ବୋଲି ସ୍ଥାନୀୟ ରାଜନୈତିକ ମହଲରେ ଆଲୋଚନା ହେଉଛି। ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ପରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ଭବିଷ୍ୟତକୁ ନେଇ ଯେଉଁ ପ୍ରଶ୍ନ ଉଠୁଥିଲା, ପ୍ରତାପଙ୍କ ଏହି ଘନଘନ ଜନସମ୍ପର୍କ କାର୍ଯ୍ୟକ୍ରମ ସେଥିରେ ନୂଆ ଉତ୍ତର ଦେବା ଆରମ୍ଭ କରିଛି ବୋଲି ଦଳୀୟ କର୍ମୀଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି।

