ଟାଙ୍ଗୀରେ ତ୍ରିରଙ୍ଗା ଅବମାନନା ଅଭିଯୋଗ
ତ୍ରିଦେବଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ଚକ୍ରାନ୍ତକାରୀ

ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ଚଳିତ ବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଏପରିକି ଜଣେ ସମାଜସେବୀ ତଥା ଶିକ୍ଷାବିତଙ୍କ ଲୋକପ୍ରିୟତାକୁ ଦେଖି କିଛି ଲୋକ ସହି ନପାରି ତ୍ରିରଙ୍ଗା ପତାକକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ଟାଙ୍ଗୀ ଅଞ୍ଚଳରେ ତିରଙ୍ଗା ପତାକାକୁ ନେଇ ରାଜନୀତି ଏବେ ଜୋର୍ ଧରିଛି। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବା ସହ ଏହାର ପାଲଟା ଅଭିଯୋଗ ମଧ୍ୟ ହେଇଛି। ତେବେ ଶାସକ ଦଳ ଭିତରେ ଥାଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତିକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଟାଙ୍ଗୀରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ସାମାଜିକ ଗଣ ମାଧ୍ୟମରେ ଅପ ପ୍ରଚାର ହୋଇଥିବା ଅଭିଯୋଗରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଇଥିବା ଦର୍ଶାଇ କିଛି ଫଟୋ ଓ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପ୍ରତିବାଦରେ ଟାଙ୍ଗୀ ଅଞ୍ଚଳର ଶତାଧିକ ଜନସାଧାରଣ ଗତ ମଙ୍ଗଳବାର ଥାନାରେ ପହଞ୍ଚି ଭାରାପ୍ରାପ୍ତ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନର ଅଧ୍ୟକ୍ଷ ତଥା ସମାଜସେବୀ ଶିକ୍ଷାବିତ୍ ତ୍ରିଦେବ ବେହେରାଙ୍କ ନେତୃତ୍ୱରେ ଟାଙ୍ଗୀ ହାଇସ୍କୁଲ ଖେଳପଡ଼ିଆରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ସଫା ଦେଇ ଭଟ୍ଟି ମୁଣ୍ଡା ଖେଳ ପଡ଼ିଆରେ ଶେଷ ହୋଇଥିଲା। ଏଥିରେ ଶହଶହ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ଏହି ଶୋଭାଯାତ୍ରାରେ ବ୍ୟବହାର ହୋଇଥିବା ତ୍ରିରଙ୍ଗା ତଳେ ପଡ଼ିଥିବା ଦର୍ଶାଇ ଗୋଟିଏ ଗୋଷ୍ଠୀ ଟେଟ୍ରାହେଡେନ ପକ୍ଷରୁ ହୋଇଥିବା ଶୋଭାଯାତ୍ରାକୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଶୋଭାଯାତ୍ରା ସମୟରେ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବା ସହ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ଦର୍ଶାଯାଇଛି। ସେହିଭଳି ତ୍ରିରଙ୍ଗା ପତାକାକୁ ଯେପରି କୌଣସି ପ୍ରକାର ଅସମ୍ମାନ ନହୁଏ, ସେଥିପାଇଁ ଅଂଶଗ୍ରହଣକାରୀଙ୍କୁ ବାରମ୍ବାର ସଚେତନ କରାଯାଇଥିବା ମଧ୍ୟ ଥାନାରେ ପ୍ରଦତ୍ତ ପାଲଟା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଅଭିଯୋଗ ଅନୁଯାୟୀ, ଶୋଭାଯାତ୍ରା ଶେଷ ହେବା ପରେ ଟାଙ୍ଗୀ ହାଇସ୍କୁଲ ଖେଳପଡ଼ିଆକୁ ସଫା କରାଯାଇଥିଲା। ତେବେ ପଡ଼ି ଆରେ ତ୍ରିରଙ୍ଗା ପତାକା ପଡ଼ିଥିବା ଦର୍ଶାଇ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ଏଭଳି ପତାକା ଶୋଭାଯାତ୍ରା ଆୟୋଜକଙ୍କ ପକ୍ଷରୁ ବ୍ୟବହାର କରାଯାଇନଥିଲା ବୋଲି ସେମାନେ ଦାବି କରିଛନ୍ତି। ଏହି ପୋଷ୍ଟ ଓ ଫଟୋ ମାଧ୍ୟମରେ ତ୍ରିରଙ୍ଗା ପତାକାକୁ ଅସମ୍ମାନିତ କରିବା ସହ ଟାଙ୍ଗୀ ଅଞ୍ଚଳର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରାଯାଇଥିବା ପାଲଟା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏଥିସହିତ ଘଟଣାର ସଠିକ୍ ତଦନ୍ତ କରି ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗକାରୀ ଓ ଟାଙ୍ଗୀ ଅଞ୍ଚଳର ବୁଦ୍ଧିଜୀବୀମାନେ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି। ଅଭିଯୋଗ ଦାଖଲ ସମୟରେ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ଦାସ, ସନାତନ ସ୍ୱାଇଁ, ପ୍ରବୀର କୁମାର ଦାସ, ବିଜେପି ମଣ୍ଡଳ ସଭାପତି ହୃଷିକେଶ ସାମଲ, କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ପ୍ରବକ୍ତା ପ୍ରଭାକର ସ୍ୱାଇଁ, ସମାଜସେବୀ ଅମୂଲ୍ୟ କୁମାର ବେହେରା, ରୋହିତ ମହାନ୍ତି, ସନାତନ ଦାସଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ରହି ଶିକ୍ଷାବିତ୍ ତ୍ରିଦେବ ବେହେରାଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଥିବାବେଳେ ତାଙ୍କ ଲୋକପ୍ରିୟତା ଦେଖି ଇର୍ଷା କରୁଥିବା ଗୋଷ୍ଠୀଙ୍କୁ ତିବ୍ର ନିନ୍ଦା କରାଯାଇଛି। ତେବେ ଆଗାମୀ ଦିନରେ ଏଭଳି ହୀନ ରାଜନୀତି କଲେ ଅଞ୍ଚଳରେ ତାଙ୍କୁ ପ୍ରବେଶ କରିବା କ୍ଷଣି ବିରୋଧ କରାଯିବ ବୋଲି ଉପସ୍ଥିତ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।

