ପବିତ୍ର ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ

କଟକ(ଏନ୍.ଏମ୍.): ଜନ୍ମ ବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ପ୍ରଭୁ ଜଗନାଥ। ନ’ଦିନ ଜନ୍ମବେଦୀରେ ରହି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ସୂଦର୍ଶନଙ୍କୁ ସାଥିରେ ଧରି ଜଗନ୍ନାଥ ଫେରିଲେ ନିଜ ମନ୍ଦିରକୁ ଅର୍ଥାତ ରତ୍ନବେଦୀକୁ। ରଥଯାତ୍ରା ଦିନ ପ୍ରଭୁ ରଥାରୂଢ଼ ହୋଇ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ଯାତ୍ରା କରୁଥିବାରୁ ଏହି ଯାତ୍ରାକୁ ଶ୍ରୀଗୁଣ୍ଡିଚା କୁହାଯାଏ। ସେହିପରି ଫେରନ୍ତା ଯାତ୍ରାରେ ପ୍ରଭୁଙ୍କର ଘର ବାହୁଡ଼ା ହୋଇଥିବାରୁ ଏହାକୁ ବାହୁଡ଼ା ଯାତ୍ରା କହିଥାନ୍ତି। ତେଣୁ ନ’ଦିନ ଧରି ଶ୍ରୀମନ୍ଦିରରେ ପ୍ରଭୁ ନଥିବାରୁ ମନ୍ଦିର ଶ୍ରୀହିନ ହୋଇପଡ଼ିଥିବାବେଳେ ପ୍ରଭୁଙ୍କର ସମସ୍ତ ଲୀଳା ଖେଳା ଚାଲିଥାଏ ଗୁଣ୍ଡିଚା ମନ୍ଦିରରେ। ପ୍ରଭୁଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ମନ୍ଦିର ପାଖରେ ମା’ ଲକ୍ଷ୍ମୀଙ୍କ ସହିତ ଅପେକ୍ଷା କରିଛନ୍ତି ସମସ୍ତ ଦେବଦେବୀ। ଏଥି ପାଇଁ ଆଜି କଟକ ସହର ଚଳଚଞ୍ଚଳ ହୋଇ ଉଠିଛି। ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କର ବିଭିନ୍ନ ପୂଜାର୍ଚ୍ଚନା ପରେ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ବିଜେ ସହିତ ରଥାରୂଢ଼ କରାଯାଇଥିଲା। ପ୍ରଭୁଙ୍କୁ ଧାଡ଼ି ପହଣ୍ଡିରେ ରଥ ପର୍ଯ୍ୟନ୍ତ ଆଣିବା ପରେ ରଥରେ ବସାଇ ଥିଲେ। ଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ରଥ ଦଉଡ଼ି ଧରି ପ୍ରଭୁଙ୍କୁ ମନ୍ଦିର ଅଭିମୁଖେ ରଥ ଟାଣିଥିଲେ। ଘଣ୍ଟ, ଘଣ୍ଟା, ସଂକୀର୍ତ୍ତନରେ ରଥସ୍ଥଳ ସତେଯେମିତି ଉଚ୍ଛୁଳି ପଡ଼ିଥିଲା। ଡାହୁକର ଡାକ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭକ୍ତି ଭରା ଆବେଗରେ ଗଡ଼ି ଚାଳିଥିଲା ରଥ ଶ୍ରୀ ମନ୍ଦିର ଅଭିମୂଖେ। ରଥାରୂଢ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ଶ୍ରୀ ଜୀଉଙ୍କୁ ଦେଖିବା ସହିତ ହାତ ଦୁଇ ଟେକି ଜୟ ଜଗନ୍ନାଥ ଧ୍ୱନୀରେ ଗଗନ ପବନ ମୁଖରିତ କରି ଦେଇଥିଲେ। ଆଉ କେହି କେହି ଆଖିରୁ ଭାବର ଲୁହ ଗଡ଼ାଇ ପ୍ରଭୁଙ୍କୁ ସତେ ଯେମିତି କୋଳେଇ ନେବାକୁ ଧାଇଁ ଆସୁଛନ୍ତି କି ଶ୍ରଦ୍ଧାଳୁଙ୍କ ନିକଟକୁ; ଏଭଳି ଭାବାବେଗ ପରିଲକ୍ଷିତ ହୋଇଥିଲା। ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଶ୍ଚ ମଧୁସୂଦନ, ରଥେତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ ପ୍ରଭୁଙ୍କ ଏହି ଅବସ୍ଥାରେ ଦର୍ଶନ କଲେ ମୋକ୍ଷ ମିଳିଥାଏ ବୋଲି ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିଶ୍ୱାସ ରହିଛି। ତେଣୁ ରଥାରୂଢ଼ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ତେବେ ଅନେକ ଶ୍ରଦ୍ଧାଳୁ ରଥାରୂଢ଼ ଶ୍ରୀ ଜୀଉଙ୍କ ଘରବାହୁଡ଼ା ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଧାମ ପୁରୀ ଯାଇଥିବାବେଳେ ଆଉକିଛି ଶ୍ରଦ୍ଧାଳୁ ପୁରୀ ଯିବାର ସୁଯୋଗ ନପାଇ ଘର ପାଖରେ ଅର୍ଥାତ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥିଲେ। ଆଜିର ମେଘାଚ୍ଛନ୍ନ ଆକାଶରେ ବାହୁଡା ଯାତ୍ରା ବେଶ ଉତ୍ସବମୁଖର ହୋଇଥିଲା।
