ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ : ୫ଟି ଜିଲ୍ଲାର ୪୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର(ଏନ୍.ଏମ୍.): ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ ବେଶି ଭଲ ଲାଗୁଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ସମସ୍ତେ ସ୍କୁଲର ନୂଆ ପରିବେଶରେ ବେସ୍ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଉତ୍ସାହର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି । ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦୁଝରରୁ ଲକ୍ଷ୍ମୀ, ରାୟଗଡାରୁ କସ୍ତୁରୀ, ନୂଆପଡାରୁ ଶୁଭଶ୍ରୀ, ଓ ସୁନ୍ଦରଗଡରୁ ଦେବରାଜ ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡର ୧୮୦ଟି, ରାୟଗଡର ୭୦ଟି,ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ୱତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ଜୀବନରେ କିଛି ବଡ କରିବାର ସ୍ୱପ୍ନ । ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ୱପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପିଲାମାନଙ୍କୁ ୫-ଟି ମହତ୍ତ୍ୱ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରେମାନନ୍ଦ ନାୟକ, ବିଧାୟକ ଜଗନ୍ନାଥ ସାରକା, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ୫ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।