ପଞ୍ଜିକୃତ ତାଲିକାରେ ବରିଷ୍ଠ କଳାକାରଙ୍କ ନାମ ନଥିବାରୁ ଅସନ୍ତୋଷ
ଖଣ୍ଡପଡା(ଏନ.ଏମ): କଳାକାରମାନଙ୍କ ପାଇଁ ସରକାର ପ୍ରତିମାସରେ ଭତା ପ୍ରଦାନ କରିବାର ବ୍ୟବସ୍ଥା କରିବା ସହ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପ୍ରଚାର, ପ୍ରସାର ନିମନ୍ତେ ପ୍ରୋସାôହନ ରାଶିର ବ୍ୟବସ୍ଥା କରିଛନ୍ତି । ଏଥିନିମନ୍ତେ ବ୍ଳକସ୍ତରରେ କଳକାରମାନଙ୍କର ନାମ ପଞ୍ଜିକୃତ କରାଯାଇଛି । ମାତ୍ର ବର୍ଷବର୍ଷ ଧରି କଳା ପ୍ରଦର୍ଶନ କରି ଆସୁଥିବା ଅନେକ ବରିଷ୍ଠ କଳାକାରଙ୍କ ନାମ ଏବେବି ଖଣ୍ଡପଡା ବ୍ଳକ କଳାକର ସଂଘ ତାଲିକାରେ ସ୍ଥାନିତ ହୋଇନଥିବାରୁ ଏ ନେଇ ଖଣ୍ଡପଡା ବ୍ଳକ ଅଚଂଳର କଳାକାରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଖଣ୍ଡପଡା ବ୍ଳକ କଳାକାର ସଂଘର ସଭାପତି ବିଡିଓ ଅରୁଣୀମା ସାହୁ ଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ଖୁବ କମ ସଂଖ୍ୟକ ସଭ୍ୟଙ୍କ ନାମ ସରକାରଙ୍କ ତାଲିକାରେ ଅଦ୍ୟାବଧି ପଂଜିକୃତ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଗତ ୨୦୧୧ ମସିହା ପରଠାରୁ ଗତ ୧୧ ବର୍ଷ ଭିତରେ ଆଉ କଳାକାରମାନଙ୍କର ନାମ ପଞ୍ଜିକୃତ ହୋଇ ନଥିବା ସୂଚନା ମିଳିଛି । ଏପରିକି ଖଣ୍ଡପଡା ବ୍ଳକ ଅଧିନ ସିଧାମୂଳା ଗ୍ରାମର ପାଲାଗାୟକ ପ୍ରଦୀପ କୁମାର ଅତବୁଦ୍ଧି ଏକଦା ଖଣ୍ଡପଡା ବ୍ଳକ କଳାକାର ସଂଘର ଉପସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ ହେଁ ଅଦ୍ୟାବଧି ତଙ୍କ ନାମ ସରକାରଙ୍କ ଦ୍ୱାରା ପଂଜିକୃତ ତାଲିକାରେ ସ୍ଥାନ ପାଇନାହିଁ । ପାଲା ଗାୟକ ପ୍ରଦୀପଙ୍କ ପରି କୋସକା ପଂଚାୟତ ସିଙ୍ଗିବାରୀ ଗ୍ରାମର ପାଲା ଗାୟକ ସତ୍ୟବାଦୀ ସାହୁ, ଯୋଗିଆପଲ୍ଲୀ ଗ୍ରାମର ରାଜ କିଶୋର ବେହେରା, ଜଗନ୍ନାଥପ୍ରସାଦ ପଂଚାୟତ କାଦୁଆ ଗ୍ରାମର ଦୀନବନ୍ଧୁ ପଣ୍ଡାଙ୍କ ପରି ଅନେକ ବର୍ଷୀୟାନ କଳାକାର କଳାକୁ ନିଜର ନିଶା ଓ ପେଷା ରୁପେ ଗ୍ରହଣ କରିଥିଲେ ହେଁ ଅଦ୍ୟାବଧି ସେମାନେ ପ୍ରୋତ୍ସାହନ ରାଶି ପାଇବାତ ଦୂରର କଥା ପ୍ରଶାସନ ଦ୍ୱାରା ପଂଜିକୃତ ତାଲିକାରେ ନାମ ନଥିବାରୁ ସେମାନେ ସବୁଥିରୁ ବଂଚିତ ହୋଇ ଦୁଃଖ ଓ ଦୁର୍ଦ୍ଦିନରେ ଦିନ କାଟୁଥିବା ଜଣାଯାଇଛି । ବ୍ଳକ ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ଜିଲା୍ଲପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡା ବ୍ଳକ ଅଞ୍ଚଳର ଶହଶହ କଳାକାର ଦାବି କରିଛନ୍ତି ।