ଶ୍ରୀକ୍ଷେତ୍ରରେ ହେବ ବିମାନ ବନ୍ଦର, ଆରମ୍ଭ ହେଲା ଏଏଆଇ ପକ୍ଷରୁ ସର୍ଭେ
ପୁରୀ(ଏନ୍.ଏମ୍.): ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି । ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ପୂର୍ବରୁ ଘୋଷଣା ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା । ଆଜି ଏଏଆଇ ଟିମ୍ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି । ଏହି ଟିମର ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶାର ଗର୍ବ ଓ ଗୌରବ ତଥା ବିଶ୍ୱ ମାନଚିତ୍ରରେ ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରିଚୟ ରହିଛି । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳ ଦେଶର ବିଭିନ୍ନ କୋଣରୁ ତଥା ବିଦେଶରୁ ପୁରୀକୁ ଆସିଥାନ୍ତି । ତେଣୁ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ବିକାଶ ପାଇଁ ପୁରୀର ଶ୍ରୀକ୍ଷେତ୍ର ଧାମକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇ ଏହାର ବିକାଶ କ୍ଷେତ୍ରରେ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ଶ୍ରୀକ୍ଷେତ୍ରର ବିକାଶ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ସୌନ୍ଦର୍ଯ୍ୟ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଏହାପରେ ଏଠାରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେବା ସହ ରାଜ୍ୟର ରାଜସ୍ୱ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ । ତେବେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀକୁ ବିମାନ ଚଳାଚଳ ନିମନ୍ତେ ଦାବି ହୋଇ ଆସୁଥିଲା । ଏହି ଟିମର ପରିଦର୍ଶନ ପରେ ଶ୍ରୀକ୍ଷେତ୍ରରେ ବିମାନ ଚଳାଚଳ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବାଟ ଫିଟିବାକୁ ଯାଉଛି ବୋଲି କୁହାଯାଉଛି ।