କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ

କଟକ କମିଶନରେଟ ପୁଲିସକୁ ସଫଳତା:୧୧ ବନ୍ଧୁକ ଓ ୫୧ ଗୁଳି ଜବତ, ୪ ଗିରଫ


କଟକ (ଏନ୍‌.ଏମ୍‌.): ରାଜ୍ୟରେ ଚୋରା ବନ୍ଧୁକ କାରବାର ରୋକିବା ଦିଗରେ କମିଶନରେଟ୍ ପୁଲିସ୍ ସ୍ୱତନ୍ତ୍ର ଅଭିଯାନ ଚଲାଇଥିବାବେଳେ କଟକ କମିଶନରେଟ ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି । କଟକ ଡିସିପିଙ୍କ ନେତୃତ୍ୱରେ ଆଜି କମିଶନରେଟ ପୁଲିସ୍ ୧୧ଟି ଚୋରା ବନ୍ଧୁକ ସହିତ ୫୧ଟି ଗୁଳି ଜବତ କରିଛି । ତା’ସହିତ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଏ ନେଇ କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଟୁକୁନା ସ୍ୱାଇଁ, ସନ୍ତୋଷ ରାଉତ, ଜ୍ୟୋତିରଞ୍ଜନ ବାରିକ ଓ ପ୍ରଶାନ୍ତ ରାଉତ । ସେମାନଙ୍କ ମଧ୍ୟରୁ ଟୁକୁନା ସ୍ୱାଇଁକୁ କମିଶନରେଟ୍ ପୁଲିସ୍ ରିମାଣ୍ଡରେ ଆଣିଛି ।
ପୁଲିସ୍ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ, ବହୁ ଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ଗିରଫ ହେବା ପରେ ତଦନ୍ତବେଳେ ବହୁ ପରିମାଣରେ ଚୋରା ବନ୍ଧୁକ ଜବତ କରାଯାଇଥିଲା । ଏହା ପରେ ଯେଉଁ ତଦନ୍ତ ଚାଲିଥିଲା ସେତେବେଳେ ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ଟୁକୁନା ସ୍ୱାଇଁ ସାମ୍ନାକୁ ଆସିଥିଲା । ସେ ଚୋରା ବନ୍ଧୁକ କାରବାରର ମୁଖ୍ୟ ଡିଲର ଭାବେ କାର୍ଯ୍ୟ କରୁଥିଲା । ବିହାରର ମୁଙ୍ଗେରରୁ ସେ ବନ୍ଧୁକ ଆଣି ଏଠାରେ ବିକ୍ରି କରୁଥିଲା । ଟୁକୁନାକୁ ଏସଟିଏଫ୍ ଗିରଫ କରିଥିଲା । ତାକୁ କଟକ କମିଶନରେଟ ପୁଲିସ ରିମାଣ୍ଡରେ ଆଣିଥିଲା । ତାକୁ ପଚରାଉଚରା ବେଳେ ସେ ବିଭିନ୍ନ ଜାଗାରେ ବନ୍ଧୁକ ଆଣି ରଖିଥିବା ଜଣାପଡ଼ିଥିଲା । ତା’ପରେ ତା’ଠାରୁ ୮ଟି ବନ୍ଧୁକ ଜବତ କରାଯାଇଛି । ସେହିପରି ଟୁକୁନା ସ୍ୱାଇଁ ଦେଇଥିବା ସୂଚନା ଭିତ୍ତିରେ ଆଉ ୩ଜଣ ଅପରାଧୀ (ସନ୍ତୋଷ ରାଉତ, ଜ୍ୟୋତିରଞ୍ଜନ ବାରିକ ଓ ପ୍ରଶାନ୍ତ ରାଉତ)ଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଉ ଏହି ଅଭିଯାନରେ ମୋଟ ୧୧ଟି ବନ୍ଧୁକ ଜବତ କରାଯାଇଛି । ଶ୍ରୀ ପ୍ରିୟଦର୍ଶୀ ପୁଣି କହିଛନ୍ତି ଯେ, ଏହି ୪ ଅପରାଧୀଙ୍କ ମଧ୍ୟରୁ ଟୁକୁନା ନାଁରେ ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୧୮ଟି ମାମଲା ରହିଛି । ସନ୍ତୋଷ ରାଉତ ନାଁରେ କଟକ ଓ ଭୁବନେଶ୍ୱରରେ ମିଶି ୫ଟି ମାମଲା ରହିଥିବାବେଳେ ଜ୍ୟୋତିରଞ୍ଜନ ବାରିକ ନାଁରେ କଟକରେ ୫ଟି ଓ ପ୍ରଶାନ୍ତ ରାଉତଙ୍କ ନାଁରେ ୯ଟି ମାମଲା ରହିଛି । କମିଶନରେଟ ପୁଲିସ୍ ପକ୍ଷରୁ ଚୋରା ବନ୍ଧୁକ କାରବାର ବିରୋଧରେ ଯେଉଁ ଅଭିଯାନ ଚାଲିଛି ସେଥିରେ କଟକ କମିଶନରେଟ ପୁଲିସକୁ ଗତ ୩ ମାସରେ ବିଶେଷ ସଫଳତା ମିଳିଛି । ଏହି ସମୟ ମଧ୍ୟରେ କେବଳ କଟକ କମିଶନରେଟ ଥାନା ଅଞ୍ଚଳରୁ ୪୩ଟି ଚୋରା ବନ୍ଧୁକ ଓ ୨୨୫ ଗୁଳି ଜବତ କରାଯାଇଛି । ତେବେ ଆଗାମୀ ଦିନରେ ଚୋରା ବନ୍ଧୁକ କାରବାର ରୋକିବା ଦିଗରେ କମିଶନରେଟ ପୁଲିସ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ପୁଲିସ କମିଶନର ସାମ୍ବାଦିକ ସମ୍ମିଳନରେ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ