ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ

ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ
ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ଶେଷ, ବିପକ୍ଷ କଲେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ବିନା ଲଢେଇରେ ଶେଷ ହେବ ବୋଲି ଜଣାପଡ଼ିଛି । କାରଣ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଶୀର୍ବାଦ ବେହେରା ଗୋଷ୍ଠୀଙ୍କ ବିପକ୍ଷରେ ବିରୋଧୀ କୌଣସି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ଫଳରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସମସ୍ତ କର୍ମକର୍ତ୍ତା ନିର୍ବାଚିତ ହେବା ନିଶ୍ଚିତ ହୋଇଥିବାବେଳେ ଏବେ ଔପଚାରିକ ଘୋଷଣାକୁ ବାକି ରହିଛି । ଓସିଏ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ସମୟ ଧାର୍ଯ୍ୟ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୬ଟି ପଦ ଲାଗି ପ୍ରାର୍ଥୀମାନେ ନାମାଙ୍କନପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ସଭାପତି, ସମ୍ପାଦକ, ଉପ ସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନସିଲ ଆଦି ୬ଟି ପଦ ଲାଗି ପ୍ରତ୍ୟେକ ବର୍ଗରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସଞ୍ଜୟ ବେହେରା ନିଜର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପୂନର୍ବାର ସମ୍ପାଦକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୨୦୧୯ରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ମାତ୍ର ଦୁଇଜଣ ବାଦ୍ ପଡିଥିବାବେଳେ ଗୋଟିଏ ପଦରେ ପରିବର୍ତ୍ତନ ହୋଇଛି । ନୂତନ ଭାବେ ୩ଜଣ ସାମିଲ ହୋଇଛନ୍ତି । ସଞ୍ଜୟ ୨୦୧୯ରୁ ଓସିଏ ସମ୍ପାଦକ ରହିଥିବାବେଳେ ଶେଷ ଥର ପାଇଁ ଆଗାମୀ ୩ ବର୍ଷ ପାଇଁ ଉକ୍ତ ପଦରେ ରହିବା ନିଶ୍ଚିତ ହୋଇଛି । ସଞ୍ଜୟ ରାଇଜିଂ ଷ୍ଟୁଡେଣ୍ଟ୍‌ସ କ୍ଲବରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ସଭାପତି ପଦରେ ପରିବର୍ତ୍ତନ ହୋଇଛି । ସଭାପତି ପଦ ଲାଗି ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଣବ ଯାଜପୁର ଜିଲାରୁ ପ୍ରାର୍ଥୀ ରହିଛନ୍ତି । ପ୍ରଣବ ସମଥର୍କକଙ୍କ ଗହଣରେ ସନ୍ଧ୍ୟାରେ ଓସିଏ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିମାନଙ୍କ ସହ ସାମିଲ ହୋଇଥିଲେ । ବର୍ତ୍ତମାନ ସଭାପତି ରହିଥିବା ପଙ୍କଜ ଲୋଚନ ମହାନ୍ତି ଉପ ସଭାପତି ପଦକୁ ଖସି ଆସିଛନ୍ତି । ପ୍ରଣବ ସଭାପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ପଙ୍କଜ ଉପ ସଭାପତି ଭାବେ କଟକ ଜିଲାରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସହିପରି ବିକାଶ ଚନ୍ଦ୍ର ପ୍ରଧାନ କୋଷାଧ୍ୟକ୍ଷ ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିକାଶ ଖୋର୍ଦ୍ଧା ଜିଲାରୁ ପ୍ରାର୍ଥୀ ହୋଇଛନ୍ତି । ଆପେକ୍ସ କାଉନସିଲ ଓ ଯୁଗ୍ମ ସମ୍ପାଦକ ପଦରେ ପରିବର୍ତ୍ତନ ହୋଇଛି । ମେହତାବ ଖାଁଙ୍କ ସ୍ଥାନରେ ପ୍ରଭାତ କୁମାର ଭୋଳ ସୁନ୍ଦରଗଡର ପ୍ରତିନିଧି ଭାବେ ଯୁଗ୍ମ ସମ୍ପାଦକ ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆପେକ୍ସ କାଉନସିଲ ସଦସ୍ୟ ଭାବେ ଶୁଭାଶିଷ ସେନାପତିଙ୍କ ସ୍ଥାନରେ ଅନୁଗୋଳ ଜିଲାର ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତ୍‌ି । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ ବୈଧ ପ୍ରାର୍ଥୀତ୍ୱ ତାଲିକା ପ୍ରକାଶ ପାଇବ । ୨୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୨୮ରେ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
ବିଭିନ୍ନ ପଦ ଲାଗି ପ୍ରାର୍ଥୀ
ପ୍ରଣବ ପ୍ରକାଶ ଦାସ : ସଭାପତି, ଯାଜପୁର ଜିଲା,
ସଞ୍ଜୟ ବେହେରା : ସମ୍ପାଦକ, ରାଇଜିଂ ଷ୍ଟୁଡେଣ୍ଟସ କ୍ଳବ,
ପଙ୍ଗଜ ଲୋଚନ ମହାନ୍ତି : ଉପ ସଭାପତି, କଟକ ଜିଲା
ପ୍ରଭାତ କୁମାର ଭୋଳ : ଯୁଗ୍ମ ସମ୍ପାଦକ, ସୁନ୍ଦରଗଡ ଜିଲା,
ବିକାଶ ଚନ୍ଦ୍ର ପ୍ରଧାନ : କୋଷାଧ୍ୟକ୍ଷ, ଖୋର୍ଦ୍ଧା ଜିଲା,
ପ୍ରତାପ ଚନ୍ଦ୍ର ପ୍ରଧାନ : ଆପେକ୍ସ କାଉନସିଲ ସଦସ୍ୟ , ଅନୁଗୋଳ ଜିଲା

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ