ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଅଭିଯୋଗ
ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିର ଯୁଗ ଶେଷ ଘୋଷଣା ଏକ ଧୂଆଁବାଣ

#ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ସରକାର ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଯେଉଁ ଘୋଷଣା କରିଥିଲେ ତାହା ସମ୍ପୂର୍ଣ୍ଣ ଧୁଆଁବାଣ ବୋଲି ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସି ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଗତ ୧୫ ତାରିଖରେ ଠିକା ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ପ୍ରକୃତରେ ଏହା ଏକ ଧୁଆଁବାଣ । କାରଣ ଏବେବି ରାଜ୍ୟରେ ଠିକା ନିଯୁକ୍ତିରେ ଥିବା ଅସଂଖ୍ୟ କର୍ମଚାରୀ ଗୋତି ଶ୍ରମିକ ଭଳି ଖଟି ଚାଲିଥିଲେ ମଧ୍ୟ ଏହି ଘୋଷଣା ସେମାନଙ୍କ ପାଇଁ ଲାଗୁ ହେବ ନାହିଁ । ରାଜ୍ୟ ସରକାର ଘୋଷଣା କଲେ ଯେ, ୨୦୧୩ ମସିହା ଠାରୁ ରାଜ୍ୟରେ ଚାଲିଥିବା ଚୁକ୍ତିଭିରିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କଲେ ଏବଂ ସେମାନଙ୍କ ସଂଖ୍ୟା ୫୭,୦୦୦ରୁ ଅଧିକ । ଏଥିପାଇଁ ଅଧିକ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ଆର୍ôଥକ ସୁପରିଚାଳନା ତଥା ସୁଶାସନ ଯୋଗୁଁ ଏହା ସମ୍ଭବ ହେଲା । ଏହା ଶୁଣିବା ମାତ୍ରେ ସମସ୍ତ ପ୍ରକାର ଠିକା କର୍ମଚାରୀ ଆନନ୍ଦିତ ହେଲେ ଓ ଓଡ଼ିଶାର ଲୋକେ ସରକାରଙ୍କୁ ବାହାବା ଦେଲେ । ପ୍ରକୃତରେ କଥାଟି ହେଲା ଅନୁମୋଦିତ ପଦବୀ ଗୁଡ଼ିକରେ ଯେଉଁମାନେ ଚୁକ୍ତିଭିଭିକ କାର୍ଯ୍ୟ କରୁଥିଲେ ସେମାନଙ୍କର ଚାକିରୀ ସ୍ଥାୟୀ ହେଲା । କିନ୍ତୁ ୨୦୧୩ ପୂର୍ବରୁ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିବା ପରେ ଏବଂ ତା’ ପୂର୍ବରୁ ବିଭିନ୍ନ ବିଭାଗରେ ଅନେକ ଠିକା କର୍ମଚାରୀ ଆଜି ବି ଦୟନୀୟ ସ୍ଥିତିରେ କାମ କରୁଛନ୍ତି । ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀମାନେ ଏମାନଙ୍କ ମଧ୍ୟରେ ଅନ୍ୟତମ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଏହି ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀମାନେ ବର୍ଷରେ ମାତ୍ର ୬ ମାସ କାମ କରନ୍ତି, ତାହା ପୁଣି ବନ୍ୟା ଓ ବାତ୍ୟାର ବିପଦଜନକ ସମୟରେ । ଏମାନଙ୍କ ସଂଖ୍ୟା ମାତ୍ର ୫୦୪ ଓ ଏମାନେ ରାଜ୍ୟର ୧୮ଟି ଜିଲ୍ଲାରେ କାମ କରିଥାନ୍ତି । ଡ୍ରାଇଭରମାନେ ମାସକୁ ୧୧, ୧୦୦ ଟଙ୍କା ଓ ଖଲାସୀମାନେ ମାସକୁ ୧୦, ୧୦୦ ଟଙ୍କା ଦରମା ପାଆନ୍ତି । ଅର୍ଥାତ୍ ଡ୍ରାଇଭର ଦିନକୁ ୩୭୦ଟଙ୍କା ଓ ଖଲାସୀ ଦିନକୁ ୩୩୭ ଟଙ୍କା ଦରମା ପାଆନ୍ତି । ଯେତେବେଳେ ଅଣକୁଶଳୀ ଦିନ ମଜୁରିଆମାନେ ୪୦୦-୪୫୦ ଟଙ୍କା ମଜୁରୀ ପାଉଛନ୍ତି । କୁଶଳୀ ଡ୍ରାଇଭର ଓ ଅର୍ଦ୍ଧକୁଶଳୀ ଖଲାସୀମାନେ ସେମାନଙ୍କ ତୁଳନାରେ କମ୍ ପାଉଛନ୍ତି । ଆଜି ବି ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘରେ ୧୮ ବର୍ଷରୁ ଅଧିକ ଦିନ ଧରି କାମ କରୁଥିବା କର୍ମଚାରୀ ଅଛନ୍ତି ଓ କେତେକ ଅବସର ନେଇଗଲେଣି । ସରକାରଙ୍କ ଘୋଷଣା ଶୁଣି ଏହି କର୍ମଚାରୀମାନେ ବହୁତ ଉତ୍ସାହିତ ଥିଲୁ । ମାତ୍ର ପରବର୍ତ୍ତୀ ସମୟରେ ଲଞ୍ଚ ଡ୍ରାଇଭର ଓ ଖଲାସି ପଦବୀ ଅନୁମୋଦିତ ପଦବୀ ହୋଇନଥିବାରୁ ଏମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ତେଣୁ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବାକୁ ମହାସଂଘ ଦାବି କରିଛି । ଅତି କମ୍ରେ ୬ମାସ ପରିବର୍ତ୍ତେ ୧୨ ମାସ ଚାକିରୀ ପାଇଁ ଦାବି କରାଯାଇଛି । ଏମାନଙ୍କ ପାଇଁ ଏବେ ୩୨.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଉ ୬ ମାସ ଅଧିକ କାମ ଦିଆଗଲେ ଆଉ ଅଧିକ ୩୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ଯାହା ରାଜ୍ୟ ବଜେଟ ଉପରେ ଆଦୌ ଭାରି ପଡ଼ିବ ନାହିଁ । ଅଥଚ ସରକାର ଆମର ଯୋଗ୍ୟତା ଭିତ୍ତିରେ ସାରା ବର୍ଷ କାମ କରାଇବାର ସୁବିଧା ପାଇବେ ଓ ଆମ ପରିବାରର ଦୟନୀୟ ଆର୍ôଥକ ଅବସ୍ଥାରେ କିଛିଟା ସୁଧାର ଆସିପାରିବ ବୋଲି ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । । ରାଜ୍ୟ ସରକାର ଯଦି ଏହି ସର୍ବନିମ୍ନ ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ଡ଼ିସେମ୍ବର ମାସ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବାଧ୍ୟ ହେବେ ବୋଲି ମହାସଂଘ ପକ୍ଷରୁ ସଭାପତି ଯୁଧିଷ୍ଠିର ମହାପାତ୍ର, ସମ୍ପାଦକ ହିମାଂଶୁ ଭୂଷଣ ପଣ୍ଡା ଚେତାବନୀ ଦେଇଛନ୍ତି ।