ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର(ଏନ୍.ଏମ୍.): ଉଚ୍ଚ ନ୍ୟାୟାଳୟରେ ରାୟ ପ୍ରକାଶ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି । ଦୀପାବଳି ଅର୍ଥାତ ନଭେମ୍ବର ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । ଏହାପରେ ବାଣ ଫୁଟାଇଲେ ଆଇନତଃ ଦଣ୍ଡନୀୟ ହେବେ । ଏସଆରସି ପ୍ରଦୀପ କୁମାର ଜେନା ଆଜି ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରି ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ବିଭିନ୍ନ ଅଂଚଳରେ ଏବେବି କୋଭିଡ୍-୧୯ ସଂକ୍ରମଣ ସକ୍ରିୟ ରହିଛି । ଶୀତ ଦିନ ଆସୁଥିବାରୁ ବୃଦ୍ଧବୃଦ୍ଧା, ପିଲା ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ ଓ ଯାହାର ପ୍ରଭାବ ଉପରୋକ୍ତ ବର୍ଗର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଏହା ସହିତ କୋଭିଡ୍ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ପ୍ରଦୂଷିତ ପରିବେଶ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବି ରହିଛି । ତେଣୁ ଦୀପାବଳି, ଛଟପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବା ପାଇଁ ଏସଆରସି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାଣ କେବଳ ସିଏସଆଇଆର-ଏନଇଇଆରଆଇ ଦ୍ୱାରା ନିର୍ଦ୍ଧାରିତ ଫର୍ମୂଲା ଆଧାରିତ ପ୍ରସ୍ତୁତ ହୋଇଥିବା ଜରୁରୀ । ସେହିପରି ଅନ୍ୟ ବାଣ ଗୁଡ଼ିକର ବିକ୍ରି ଓ ଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ । ଯେଉଁ ବ୍ୟବସାୟୀ ଓ ଡିଲରମାନେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫଟି ଅର୍ଗାନାଇଜେସନ (ପିଇଏସଓ) ପ୍ରମାଣପତ୍ର ରଖିଥିବେ, ସେମାନଙ୍କର ଷ୍ଟକକୁ ଯାଂଚ କରାଯିବା ପରେ ସେମାନଙ୍କୁ ଏହି ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ । ସମ୍ପୃକ୍ତ ପିଇଏସଓ ପ୍ରମାଣଧାରୀମାନେ ନିଜର ପ୍ରମାଣପତ୍ରକୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ କମିଶନରଙ୍କ ନିକଟରେ ଦାଖଲ କରି ସବୁଜ ବାଣ ବିକ୍ରି ପାଇଁ ଅନୁମତି ନେଇପାରିବେ । ଯେଉଁମାନଙ୍କ ପାଖରେ ପିଇଏସଓ ପ୍ରମାଣପତ୍ର ନଥିବ ସେହି ବ୍ୟବସାୟୀମାନେ ବାଣ ବିକ୍ରି କରିବାକୁ ଅନୁମତି ପାଇବେ ନାହିଁ ବୋଲି ସେ କହିଛନ୍ତି । ସେହିପରି ଯେଉଁ ରିଟେଲରମାନେ ଇଣ୍ଡିଆନ ଏକ୍ସପ୍ଲୋସିଭ୍ ଆକ୍ଟ-୧୯୪୮ ଅନ୍ତର୍ଗତ କର୍ତ୍ତୃପକ୍ଷଙ୍କଠୁ ଲାଇସେନ୍ସ ପାଇଥିବେ ସେମାନେ ମଧ୍ୟ ସବୁଜ ବାଣ ବିକ୍ରି କରିପାରିବେ । ରିଟେଲରମାନେ କେବଳ ସେମାନଙ୍କୁ ଆବଣ୍ଟିତ ସ୍ୱତନ୍ତ୍ର ଅଂଚଳରେ ଏହି ସବୁଜ ବାଣ ବିକ୍ରି କରିପାରିବେ । ଇଣ୍ଟରନେଟରେ ସବୁଜ ବାଣ ବିକ୍ରି ଉପରେ କଟକଣା ରହିଛି । ହୋଲସେଲ ଓ ରିଟେଲରଙ୍କୁ ଓରିଜିନାଲ ଇନଭଏସ ଦେଖାଇବାକୁ ପଡ଼ିବ । ସବୁଜ ବାଣକୁ ମଧ୍ୟ ସର୍ବସାଧାରଣ ସ୍ଥାନରେ ନଫୁଟାଇବାକୁ ପରାମର୍ଶ ଦିଆଯାଇଛି । ନିୟମ ଉଲଙ୍ଘନକଲେ କଠୋର ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ । ଏସବୁ ସର୍ତ୍ତାବଳୀକୁ କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଳ୍ଲା ପ୍ରଶାସନ ଓ ପୁଲିସ କମିଶନରେଟକୁ ନିର୍ଦ୍ଦେଶ ଦିଆଯାଇଛି । ପୁନଶ୍ଚ ଦୀପାବଳି, ଛଟପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ଆଦି ପର୍ବରେ ସମୂହ ଏକଜୁଟ ନହୋଇ ଘରେ ପାଳନ କରିବାକୁ ଏସଆରସି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।