ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଗିରଫ ପରେ ବିଭାଗୀୟ ଚାପ!
କେସ ଉଠାଇବା ପାଇଁ ଚାପ ପଡ଼ୁଥିବା ଅଭିଯୋଗ କଲେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ

ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ବରିଷ୍ଠ ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କ ଗିରଫ ପରେ ବିଭିନ୍ନ ଘଟଣା ଏବେ ଲୋକ ଲୋଚନକୁ ଆସୁଛି। ଦୀର୍ଘ ଦିନ ଧରି ଶ୍ରୀ ରାଉଳଙ୍କୁ ବିଭାଗ ଘଣ୍ଟ ଘୋଡ଼ାଉଥିବା ବେଳେ କୋର୍ଟଙ୍କ ଠାରୁ ନିରାଶ ହେବା ପରେ ଏବେ ସେ ଗିରଫ ହୋଇଛନ୍ତି। ଯେଉଁ କାରାଗାରରେ ସେ କାରା ଅଧିକ୍ଷକ ଭାବେ ରାଜୁତି କରୁଥିଲେ ସେହି କାରାଗାରରେ ସେ ବନ୍ଦୀ। ତେବେ କୁକର୍ମର ଫଳ ଫଳିଲା ବୋଲି ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ସେହିଭଳି ତାଙ୍କୁ ଏଭଳି ଅନୈତିକ କାମରେ ସହଯୋଗ କରୁଥିବା ସରକାରୀ ଅଧିକାରୀମାନେ ଏବେ ଅଡ଼ୁଆରେ ପଡ଼ି ପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ଶ୍ରୀ ରାଉଳଙ୍କୁ ଗିରଫ ପରେ ମଧ୍ୟ ଘଟଣାକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୌଦ୍ୱାର ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଗତ ୨୧ତାରିଖ ବିଳମ୍ବିତ ରାତିରେ ପୁଣି ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବରୁ ଦେଇଥିବା ଅଭିଯୋଗ ପ୍ରତ୍ୟାହାର ପାଇଁ ତାଙ୍କୁ ଚାପ ଦିଆଯାଉଥିବା ଏବଂ ଏଥିପାଇଁ ବିଭାଗ ଭିତର ଓ ବାହାରର ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରାଯାଉଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏଭଳିକି ସେ ଏବେ ନିଲମ୍ବିତ ଥିବାବେଳେ ତାଙ୍କୁ ପୁନଃନିଯୁକ୍ତି କିମ୍ବା ପୋଷ୍ଟିଂ ଭଳି ବିଭାଗୀୟ ସୁବିଧାର ସଙ୍କେତ ଦିଆଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏସବୁ ଘଟଣାକୁ ନଜରକୁ ନେଲେ ପୋଲିସ ଏବଂ ଜେଲ ପ୍ରଶାସନର ସ୍ୱଚ୍ଛତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶ୍ରୀମତୀ ଦାସଙ୍କ ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀରେ ଚୌଦ୍ୱାର ଥାନା କେସ ନଂ-୩୫/୨୦୨୬ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କୁ ଚାପ ପକାଯାଉଥିବା ସମ୍ପର୍କରେ ଏହି ନୂଆ ଅଭିଯୋଗପତ୍ରରେ ସେ ସ୍ପଷ୍ଟ କରିଛନ୍ତି। ପୂର୍ବ ଅଭିଯୋଗ କୌଣସି ଅନ୍ୟ ଉଦ୍ଦେଶ୍ୟରେ କରାଯାଇ ନଥିଲା ଏବଂ ଏହା ସହ ମାମଲାର ତଦନ୍ତ ସ୍ୱାଧୀନ ଓ ନିରପେକ୍ଷ ଭାବେ ହେବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୨୧ତାରିଖ ରାତି ପ୍ରାୟ ୧୧ଟା ୧୫ରେ ଅଭିଯୋଗଟି ଗ୍ରହଣ କରାଯାଇଥିବା ଦସ୍ତାବିଜରେ ଦର୍ଶାଯାଇଛି।
ସୁଜିତ ରାଉଳଙ୍କ ଗିରଫ ପରେ ଗତ ରାତିର ଘଟଣାକ୍ରମ ମଧ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ତାଙ୍କୁ ନିଜ ହେପାଜତକୁ ନେବା ପରେ ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗୀ-ହରିଅନ୍ତା ନିକଟ ରାସ୍ତାକଡ଼ରେ ପୋଲିସ ଭ୍ୟାନଟି ଦୀର୍ଘ ସମୟ ଧରି ଠିଆ ହୋଇଥିବା ଦେଖାଯାଇଥିଲା। ସେହି ଗାଡ଼ିରେ ଶ୍ରୀ ରାଉଳଙ୍କ ସହ ଚୌଦ୍ୱାର ଥାନା ଆଇଆଇସି ଓ ପୋଲିସ ଅଧିକାରୀମାନେ ରାତି ପ୍ରାୟ ୧୨ଟା ୧୫ ପର୍ଯ୍ୟନ୍ତ ଗାଡ଼ିଟି ସେଠାରେ ରଖି ରହିଥିଲେ। ତେବେ ଏହାକୁ ନେଇ ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ସାମ୍ବାଦିକମାନେ ପହଞ୍ଚି ଭିଡିଓ କରିବା ସହ ପୁଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ କୌଣସି ଉତ୍ତର ନଦେଇ ହଠାତ୍ ପୋଲିସ ଭ୍ୟାନ୍ଟି ଦ୍ରୁତଗତିରେ ସେଠାରୁ ଚାଲିଯାଇଥିଲା। ଏହାପରେ ମାଜିଷ୍ଟ୍ରେଟଙ୍କ ନିକଟରେ ଶ୍ରୀରାଉଳଙ୍କୁ ହାଜର କରିବା ପରେ ଚୌଦ୍ୱାର ଜେଲର ୫୮ନମ୍ବର ୱାର୍ଡ଼ରେ ବିଚାରଧୀନ କଏଦୀ ଭାବେ ରହିଛନ୍ତି। ତେବେ ବିଳମ୍ବିତ ସେହିଦିନ ବିଳମ୍ବିତ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ଶ୍ରୀରାଉଳ କାରଗାରରେ ଅନେକ ବେଆଇନକାମ ଚଳାଇଥିବା ଅଭିଯୋଗ ଉଠୁଥିବାବେଳେ ଏହାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସେହିଭଳି ଯଦି ପୂର୍ବତନ ଜେଲର ଶ୍ରୀମତୀ ଦାସଙ୍କ ଅଭିଯୋଗ ସତ୍ୟ ହୋଇଥାଏ ତେବେ ଶ୍ରୀ ରାଉଳଙ୍କୁ ଏଭଳି ଅପରାଧରୁ ଖସାଇଦେବା ପାଇଁ ସମ୍ପୂର୍ଣ୍ଣ ବିଭାଗ ଲାଗିପଡ଼ିଥିଲା ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଏହି ଘଟଣା କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

