ବନ୍ୟା ଜଳରେ ଫୁଲିଲା ମହାନଦୀ: ଜଳମଗ୍ନ ମା’ ଭଟ୍ଟାରିକାଙ୍କ ପୀଠ

ଆଠଗଡ଼(ଏନ୍.ଏମ୍.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟସାରା ଜଳମଗ୍ନ ହୋଇଛି । ଛତିଶଗଡ଼ରେ ଅଧିକ ବର୍ଷା ହେବା ଫଳରେ ଏବେ ମହାନଦୀ ଫୁଲିବାରେ ଲାଗିଛି । ଏହା ଦ୍ୱାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଉଦ୍ବୁଦ୍ଦ ଜଳ ନିଷ୍କାସନ ନିମନ୍ତେ ହୀରାକୁଦ ଜଳଭଣ୍ଡାରରୁ ୨୬ଟି ଗେଟ ଖୋଲାଯାଇଛି । ମହାନଦୀରେ ଏହି ଜଳ ପ୍ରବାହିତ ହେବା ଯୋଗୁଁ ମୁଣ୍ଡଳୀ ଠାରେ ସନ୍ଧ୍ୟା ସୁଦ୍ଧା ୧୦ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି । ବିଶେଷ କରି ମହାନଦୀରେ ବନ୍ୟା ଜଳ ଆସିବା ଦ୍ୱାରା ଦ୍ୱାରା ଆଠଗଡ଼ର ଦଶ ଗୋଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି । ମେଘା, କଟକିଆ ସାହି, ଅନନ୍ତ ପୁର, ଧୁରୁଷିଆ, କଖଡି, ମଞ୍ଚେଶ୍ୱର, କନ୍ଦରପୁର, ଘଣ୍ଟିଖାଲ, ମହାକଲବସ୍ତ ଓ ତରଡିଙ୍ଗ ଆଦି ପଞ୍ଚାୟତର ଗ୍ରାମ ମାନଙ୍କରେ ଧାନ ଜମି ଜଳମଗ୍ନ ହୋଇଛି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ଓ ଚମ୍ପାପୁର ଠାରେ ରାସ୍ତା ଉପରେ ୩ ଫୁଟ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ କଟକ ଓ ଆଠଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ସେହିଭଳି ହୁଲୁହୁଲା ପୋଲ ବୁଡି ଯିବାରୁ ଉତ୍ତର ବାଙ୍କୀ ସହ ଆଠଗଡ଼ ଓ ତିଗିରିଆର ଯୋଗାଯୋଗ ବିଛିନ୍ନ ହୋଇଛି ।
କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠ ମଧ୍ୟ ଜଳମଗ୍ନ ହୋଇ ଯାଇଛି । ଏଥି ସହିତ ସେଠାରେ ପ୍ରଖର ସୁଅ ମଧ୍ୟ ପଡ଼ିଥିବା ଜଣାପଡ଼ିଛି । ତେଣୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏହି ନିଷେଦ୍ଧାଦେଶ ଜାରି କରିଛନ୍ତି । ମହାନଦୀର ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ଘେରି ରହିଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମକୁ ବନ୍ଦ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ବନ୍ୟାଜଳ ମା’ଙ୍କ ଗମ୍ଭୀରା ଭିତରେ ପ୍ରବେଶ କରିବା ସହ ମନ୍ଦିରର ଅର୍ଦ୍ଧାଧିକ ଭାଗ ଜଳମଗ୍ନ ହୋଇ ପଡ଼ିଛି । ତେଣୁ ମା’ ଙ୍କ ମନ୍ଦିର ନିକଟରେ ଥିବା ରତ୍ନଗିରି ପର୍ବତରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ମା’ଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି । ସେବାୟତ ମାନେ ମା’ଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରିବା ପରେ ଅସ୍ଥାୟୀ ଗମ୍ଭୀରାରେ ମାଆଙ୍କର ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ସମାପନ ହେବ ବୋଲି ସୂଚନା ଦିଆଯାଇଛି ।