ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା
ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ

News by I&PR Odisha

ଭୁବନେଶ୍ୱର, (ଏନ୍‍.ଏମ୍‍.): ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜୀବ ଭବନସ୍ଥିତ ଏସ୍‌ଆରସି କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ରାଜ୍ୟରେ ସମ୍ପ୍ରତି ବୃଷ୍ଟିପାତ ଏବଂ ବନ୍ୟାସ୍ଥିତି ସମ୍ପର୍କରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ବନ୍ୟାର ବିଭିନ୍ନ ଦିଗକୁ ସମୀକ୍ଷା କରି ନଦୀବନ୍ଧଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ୨୪ଘଣ୍ଟିଆ ପେଟ୍ରୋଲିଂ ଜାରି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାତ୍ରି ସମୟରେ ଡିଜିସେଟ୍ ଓ ପେଟ୍ରୋମାକ୍ସ ଲାଇଟ୍ ଲଗାଇ ବନ୍ଧ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କାର୍ଯ୍ୟରେ ନଦୀକୂଳିଆ ଗ୍ରାମର ବାସିନ୍ଦା, ଜନପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ବର୍ଷା ଓ ବନ୍ୟାସ୍ଥିତିର ପୁନଃସମୀକ୍ଷା କରାଯିବ ଏବଂ ଗେଟ୍ ଖୋଲିବା ସଂପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ କୁହାଯାଇଛି ।
ବୈଠକ ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଲେ ଯେ, ଲଗୁଚାପ ଫଳରେ ଲଗାଣ ବର୍ଷା ହୋଇଛି । ମହାନଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଠାରେ ୩୬୮ ମିଲିମିଟର ବର୍ଷା ହୋଇଥିବାବେଳେ ୭ଟି ବ୍ଲକ୍‌ରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଇନ୍ଦ୍ରାବତୀ, ତେଲ ଓ ମହାନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହୋଇଛି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହୋଇଛି । ହୀରାକୁଦର ୮ଟି ଗେଟ୍‌ବନ୍ଦ ହେବା ଫଳରେ ୧ ଲକ୍ଷରୁ ୧.୨୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କମିବ । ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ଗେଟ୍ ପରିଚାଳନା କରାଯିବ । ମୁଣ୍ଡୁଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ସ୍ଥିର ରହିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ହୀରାକୁଦର ୮ଟି ଗେଟ୍ ବନ୍ଦ ରହିବ । ବନ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ଅଧିକ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଫାୟାର ସର୍ଭିସର ଟିମ୍ ମୁତୟନ କରାଯାଉଛି । ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ପଠାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ହୀରାକୁଦର ଜଳଧାରଣ କ୍ଷମତା ୬୩୦ ମିଟର ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଜଳସ୍ତର ୬୨୧ ମିଟର ରହିଛି । ତେଣୁ ତଳ ଅଞ୍ଚଳରେ ଜଳପ୍ରବାହର ପ୍ରକୋପ କମାଇବା ପାଇଁ ୮ଟି ଗେଟ୍ ବନ୍ଦ କରିବା ପାଇଁ ସାମୟିକ ଭାବେ ନିଷ୍ପତ୍ତି ନିଆଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ