ଜଗତପୁର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ: କୁହୁଳୁଛି ଅସନ୍ତୋଷ

ଜଗତପୁର(ଏନ୍.ଏମ୍.): କଟକ ସହରରେ ବିଭିନ୍ନ ପ୍ରକଳ୍ପ ହେବା ନେଇ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ମହାନଗର ଅନ୍ତର୍ଗତ ଜଗତପୁର ଗୟାନାଛକ ଠାରୁ ଗୋଲେଇଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରିବା ନିମନ୍ତେ ରାସ୍ତା କଡରେ ଖୋଲା ଯାଇଥିବା ଦୋକାନ ବଜାର ଗୁଡିକୁ ୩ ଗୋଟି ଡୋଜର ଲଗାଇ ଉଚ୍ଛେଦ କରାଯାଇଛି । ତେବେ ଏହି ଉଚ୍ଛେଦ ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ୨୦୨୦ ମସିହା ଡିସେମ୍ବର ମାସ ୯ ତାରିଖରେ ଏହି ଦୁଇଗୋଟି ବଜାରର ପ୍ରାୟ ଦୋକାନ ଗୁଡିକୁ ଭାଙ୍ଗି ଦିଆଯାଇଥିଲା । ମାତ୍ର ସରକାରଙ୍କ ପକ୍ଷରୁ ବ୍ୟବସାୟୀମାନଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିଲାନାହିଁ କି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରାଗଲା ନାହିଁ । ଏହି ଦୋକାନ ବଜାର ଭଙ୍ଗା ଯିବାକୁ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ପ୍ରଶସ୍ଥିକରଣ ତ ଦୂରର କଥା ଭଙ୍ଗା ଇଟା ପଥର ମଧ୍ୟ ଉଠାଯାଇ ନାହିଁ । ଦୋକାନୀମାନେ ନିଜର ଜୀବିକା ହରାଇ ବହୁ କଷ୍ଟରେ ତାଙ୍କ ପରିବାର ପ୍ରତିପୋଷଣ କରି ଅଧା ଭଙ୍ଗା ଦୋକାନକୁ ମରାମତି କରି ଦୋକାନ ଖୋଲିଥିଲେ । ତେବେ ବ୍ୟବସାୟୀମାନେ ଟିକେ ଅଣ୍ଟା ସଳଖିବା ବେଳକୁ ଆଜି ପୁଣି ଉଚ୍ଛେଦ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏହି ଉଚ୍ଛେଦ ସମୟରେ ଦୁଇ ପ୍ଲାଟୁନ ପୁଲିସ ଉପସ୍ଥିତ ଥିଲେ । ଜଗତପୁର ଷ୍ଟେସନ ବଜାର ଓ କୃଷ୍ଣେଶ୍ୱର ବଜାରର ଦୋକାନୀମାନେ ନିଜର ଜୀବିକା ହରାଇ କଣ ଖାଇବେ କେମିତି ଚଳିବେ ଏବେ ଚିନ୍ତାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ କଟକ ସହରର ବିଭିନ୍ନ ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ପ୍ରକିୟା ଜାରି ରହିଛି । ଏହି କ୍ରମରେ ଜଗତପୁରର ନିମପୁର, ଗୟାନାଛକ, କୃଷ୍ଣେଶ୍ୱର ବଜାର, ଷ୍ଟେସନ ବଜାର ଦେଇ ଗୋଲେଇଛକ ପର୍ଯ୍ୟନ୍ତ ଶତାଧିକ ଦୋକାନ ବଜାର ଗୁଡିକୁ ଉଚ୍ଛେଦ କରାଯାଇଥିଲା ।