ଦ୍ରୌପଦୀଙ୍କ ଲମ୍ବା ଯାତ୍ରା: କାଉନସିଲରରୁ ରାଷ୍ଟ୍ରପତି
୨୫ରେ ଶପଥ ସମାରୋହ, ଦିଲ୍ଲୀ ଯିବେ ନବୀନ
ଭୁବନେଶ୍ୱର(ଏନ୍.ଏମ୍.): ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି । ଏଥିପାଇଁ ଶ୍ରୀ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଇ ୨୬ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଏହି ଗସ୍ତବେଳେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଜେଡି ସାଂସଦମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ଜିତିବା ନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ସେ ବହୁ ଭୋଟ୍ ବ୍ୟବଧାନରେ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଥିବାରୁ ଅପରାହ୍ନରେ ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ହୋଇଥିଲା । ଶ୍ରୀମତୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଓଡ଼ିଶାରେ ପ୍ରଚାରର ମଙ୍ଗ ବିଜେଡି ସମ୍ଭାଳିଥିଲା । ତେଣୁ ଏହି କାରଣରୁ ଅଣଏନଡିଏ ଓ ଅଣୟୁପିଏ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକଙ୍କ ସମେତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କୁ ଶପଥ ସମାରୋହରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ରାଇରଙ୍ଗପୁରରୁ ରାଇସିନା ହିଲ୍ । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବାପରେ ମୟୂରଭଞ୍ଜ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ବିଶେଷକରି, ସ୍ୱାଧୀନତା ପରବର୍ତ୍ତୀକାଳରେ ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜନେତାମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଶୀର୍ଷରେ ପହଞ୍ଚିଛି । କାଲି ଯାଏ ଯେଉଁ ସହରକୁ ଲୋକେ ଏକ ଛୋଟିଆ ସହର ବୋଲି ଜାଣିଥିଲେ ଆଜି ସେହି ରାଇରଙ୍ଗପୁରକୁ ମିଳିଛି ନୂଆ ପରିଚୟ । ଦ୍ରୌପଦୀଙ୍କ ପାଇଁ ରାଇରଙ୍ଗପୁର ଆଜି ଦେଶର ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଲା ବୋଲି ଚର୍ଚ୍ଚା ହେଉଛି । ଏହି ରାଇରଙ୍ଗପୁରରୁ ହିଁ ତାଙ୍କର ରାଜନୈତିକ ଜୀବନର ମୂଳଦୁଆ ପଡ଼ିଥିଲା, ଯାହାକି ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି । ଶିକ୍ଷକତା ଛାଡ଼ି ଗଣତନ୍ତ୍ରର ତୃଣମୂଳସ୍ତରୀୟ ଅନୁଷ୍ଠାନରୁ ରାଜନୀତି ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ୧୯୯୭ ମସିହାରେ ରାଇରଙ୍ଗପୁର ଏନଏସିରୁ ୨ନମ୍ବର ୱାର୍ଡରୁ ନିର୍ବାଚନ ଲଢି ବିଜୟୀ ହୋଇ କାଉନସିଲର ହୋଇ ପରେ ଏନଏସିର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ । ଏହାଥିଲା ତାଙ୍କ ଜୀବନର ପ୍ରଥମ ନିର୍ବାଚନ ଓ ସେ ତାହାକୁ ସଫଳତାର ସହ ଜିଣିଥିଲେ । ପୁଣି ୨୦୦୦ମସିହାରେ ବିଜେପି ପକ୍ଷରୁ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହେବା ସହିତ ବିଜେପି-ବିଜେଡି ମେଣ୍ଟ ସରକାର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ଓ ବାଣିଜ୍ୟ, ପରିବହନ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ଦାୟିତ୍ୱରେ ରହିଥିଲେ । ସେହିପରି ୨୦୦୪ ନିର୍ବାଚନରେ ମଧ୍ୟ ବହୁ ଭୋଟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବାରୁ ୨୦୧୫ ମସିହାରେ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ ଏବଂ ୧୨ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ପଦବିରେ ରହିଥିଲେ । ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମର ବିରଞ୍ଚି ନାରାୟଣ ମୁର୍ମୁ ଓ ମା’ ସିନଗୋ ମୁର୍ମୁଙ୍କ ଔରଷରୁ ୨୦ ଜୁନ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ପ୍ରଥମେ ଗାଁ ସ୍କୁଲରେ ପଢୁଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଭୂବନେଶ୍ୱରରେ ରହି ୧୯୭୪ ମସିହାରେ ମାଟ୍ରିକ୍ ପାସ କରିଥିଲେ । ଏହାପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠପଢି ଯୁକ୍ତ ଦୁଇ ସହିତ ସ୍ନାତକ ଡିଗ୍ରି ହାସଲ କରିଥିଲେ । ଏହା ପରେ ୧୯୭୯ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେକ୍ରେଟେରିଏଟରେ ଜଳସେଚନ ଓ ଶକ୍ତି ବିଭାଗର କିରାଣୀ ଭାବେ କାର୍ଯ୍ୟ କରିଥିଲେ । ତେବେ ସ୍ୱାମୀ ବ୍ୟାଙ୍କରେ ଚାକିରି କରୁଥିବାରୁ ସେ ରାଇରଙ୍ଗପୁରକୁ ଫେରିଆସିଥିଲେ । ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ୧୯୯୪ ରୁ ୧୯୯୭ ପ୍ରର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ । ତେବେ ଶ୍ରୀମତୀ ମୁର୍ମୁ ୬୪ବର୍ଷ ବୟସରେ ଭାରତର ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।