ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ
ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ

News by Maheswar Behera (Athagarh)

ଆଠଗଡ଼(ଏନ୍‍.ଏମ୍‍.) : ମହାନଦୀରେ ବନ୍ୟା ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ କୂଳ ଲଙ୍ଘିବା ସହ ବହୁ ଜନବସତିକୁ ଗ୍ରାସ କରି ସାରିଲାଣି । ନଦୀକୂଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ତେବେ ଏହି ବନ୍ୟା ଯୋଗୁଁ ମହାନଦୀ ମଝିରେ ଦୀର୍ଘ ୪ ଦିନ ଧରି ଫସି ରହିବା ପରେ ଆଜି ଓଡ୍ରାଫ ଟିମ ବାପ ପୁଅଙ୍କୁ ଉଦ୍ଧାର କରିଛି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର କନ୍ଦରପୁର ଅମଙ୍ଗେଇ କୁଦକୁ ଛେଳି ଚରାଇବାକୁ ଯାଇ ପ୍ରାୟ ୪ ଦିନ ହେବ ବାପପୁଅ ପାଣି ମଝିରେ ଫସି ରହିଥିଲେ । ଆଜି ଓଡ୍ରାଫ ଟିମ୍ ପହଞ୍ଚି ଦୀର୍ଘ ସମୟ ଧରି ଅପରେସନ ଚଳାଇ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ସ୍ଥାନୀୟ କନ୍ଦରପୁର ଗ୍ରାମର ଧର୍ଯ୍ୟଧର ଦଳେଇ (୬୦) ଓ ତାଙ୍କ ପୁଅ ଅର୍ଜୁନ ଦଳେଇ (୩୦) । ଉଭୟଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛଡ଼ା ଯାଇଛି । ଉଭୟେ ସୁସ୍ଥ ରହିଥିବା ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଧର୍ଯ୍ୟଧର ନଦୀ ଟାପୁରେ କିଛି ଛେଳି ଓ କୁକୁଡ଼ା ପାଳନ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି । ନଦୀ ପଠାରେ ଛେଳିମାନଙ୍କୁ ଚରାଇବା ପାଇଁ ପ୍ରତିଦିନ ହୁଲି ଡଙ୍ଗାରେ ଯାଇଥାନ୍ତି । ଛେଳି ଚରାଇ ସଂଧ୍ୟା ବେଳକୁ ଫେରି ଆସନ୍ତି । ପ୍ରାୟ ୪ଦିନ ପୂର୍ବେ ଉକ୍ତ କୁଦକୁ ବାପପୁଅ ଛେଳି ଚରାଇବାକୁ ଏକ ହୁଲି ଡଙ୍ଗାରେ ଯାଇଥିଲେ । ସେଠାରେ ସେମାନେ ନିୟମିତ ଛେଳି, ଚରାଇବାକୁ ଯାଉଥିବାରୁ ବିଶ୍ରାମ ନେବା ନିମନ୍ତେ ସେଠାରେ ଏକ କୁଡ଼ିଆ କରିଛନ୍ତି । ସେଠାରେ ସେମାନେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଛେଳି ରଖିଥିବା ବେଳେ ୨୦ରୁ ଅଧିକ କୁକୁଡ଼ା ବି ରଖିଛନ୍ତି । ୪ ଦିନ ପୂର୍ବେ ଉଭୟ ବାପପୁଅ ଛେଳି ଚରାଇବାକୁ କୁଦକୁ ଯାଇଥିବା ବେଳେ ପ୍ରବଳ ବର୍ଷା, ପବନ ହେବାରୁ ଆଉ ଫେରି ପାରି ନଥିଲେ । ତା’ ପରଦିନ ମହାନଦୀରେ ପାଣି ବଢ଼ିଯିବାରୁ ଆଉ ଫେରିବା ସମ୍ଭବପର ହୋଇପାରି ନଥିଲା । ସେମାନେ ସେଠାରେ ଥିବା କୁଡ଼ିଆରେ ମୁଣ୍ଡ ଗୁଞ୍ଜି ରହୁଥିବା ବେଳେ ପ୍ରାୟ ୨ ଦିନ ହେବ ସେମାନଙ୍କ ନିକଟରେ ଥିବା ଖାଦ୍ୟ ପଦାର୍ଥ ସରି ଯାଇଥିଲା । ତେବେ ଏ ନେଇ ପରିବାର ଲୋକଙ୍କୁ ଫୋନ କରିବା ବେଳକୁ ଫୋନ ଚାର୍ଜ ସରି ଯାଇଥିଲା । ଫଳରେ ପରିବାର ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ଯାଇଥିଲା । କୁଦରେ ବାପ ପୁଅ ଆଶା ଆଶଙ୍କା ଭିତରେ ଥିବାବେଳେ ପରିବାର ଲୋକେ ମଧ୍ୟ ବାପ-ପୁଅଙ୍କ କୌଣସି ସୂଚନା ନପାଇ ବ୍ୟସ୍ତ ହୋଇ ପଡ଼ିଥିଲେ । ଏନେଇ ପରିବାର ଲୋକେ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ଆଜି ସକାଳୁ ଏକ ଓଡ୍ରାଫ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ଅମଙ୍ଗେଇ କୁଦକୁ ଯାଇଥିଲା । ମାତ୍ର ଛେଳିଙ୍କୁ ଛାଡ଼ି ପ୍ରଥମେ ଫେରିବାକୁ ଅମଙ୍ଗ ହେଉଥିବା ବାପପୁଅଙ୍କୁ ବୁଝାଶୁଝା କରିବା ପରେ ସେମାନେ ଫେରିବାକୁ ରାଜି ହୋଇଥିଲେ । ଏହାପରେ ସେଠାରୁ ସୁରକ୍ଷିତ ଭାବେ ବାପପୁଅଙ୍କୁ ଉଦ୍ଧାର କରାଯାଇ କୁଳକୁ ଆଣିଥିବା ଜଣାଯାଇଛି । ୨ ଦିନ ହେବ କିଛି ଖାଇ ନ ଥିବାରୁ ସେମାନେ ସାମାନ୍ୟ ଦୁର୍ବଳ ହୋଇ ପଡ଼ିଛନ୍ତି । କୁଳରେ ଥିବା ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଆବଶ୍ୟକ ମେଡିସିନ ଦେଇଥିବା ଜଣାଯାଇଛି । ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି । ତେବେ ଏହି ସମୟରେ ମହାନଦୀରେ ପ୍ରଖର ସ୍ରୋତ ଥିବାରୁ ଉଭୟ ବାପପୁଅଙ୍କୁ ଉଦ୍ଧାର ପ୍ରକ୍ରିୟା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଓଡ୍ରାଫ ଟିମ୍ ସଦସ୍ୟ କହିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ