ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି
ଛାତ୍ରଛାତ୍ରୀମାନେ କଲେଜ ନିର୍ବାଚନକୁ ନେଇ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦିଅ- ଦେବୀ
କଟକ(ଏନ୍.ଏମ୍.): ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ । ନିବାର୍ଚନ ହେବା ଦ୍ୱାରା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିଂସାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଶୈଖିକ ବାତାବରଣ ନଷ୍ଟ ହେଉଛି । ଯାହା ଦ୍ୱାରାକି ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହେଇଯାଉଛି । ତେଣୁ ଏ ନେଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ହେବା ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଛାତ୍ର ନେତା ଗଠନ କରିବା ନିମନ୍ତେ ବିଜେଡ଼ି ଏକ ବିକଳ୍ପ ପନ୍ଥା ହାତକୁ ନେଇଛି । ପ୍ରତ୍ୟେକ କଲେଜ କ୍ୟାମ୍ପସରେ ଛାତ୍ର ପ୍ରତିନିଧି ସୃଷ୍ଟି କରି କଲେଜର ବିଭିନ୍ନ ସମସ୍ୟାର ସମାଧାନ ତଥା ଛାତ୍ରଛାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ପ୍ରତ୍ୟେକ କଲେଜରେ କ୍ୟାମ୍ପସ କମିଟି ଗଠନ କରାଯାଇଛି । ଏହି ଅବସରରେ ଆଜି କଟକ ସ୍ଥିତ ସର୍କିଟ ହାଉସ ଠାରେ ବିଜୁ ଜନତଦଳ ପକ୍ଷରୁ ଏକ କମିଟି ଘୋଷଣା କରାଯାଇଛି । ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କରାଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପୌରହିତ୍ୟରେ ଏହି ନିର୍ବାଚନ ମଣ୍ଡଳୀର ୬ଟି ଶିକ୍ଷାନୁଷ୍ଠାନର କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ମୁଖ୍ୟ ଅତିଥିଭାବେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଏହା ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଦୂର ଦୃଷ୍ଟି ସମ୍ପନ୍ନ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ । ଛାତ୍ର ଛାତ୍ରୀମାନେ କଲେଜ୍ରେ ପ୍ରତ୍ୟେକ୍ଷ ନିର୍ବାଚନକୁ ନେଇ ନିଜର ଭବିଷ୍ୟତକୁ ନଷ୍ଟ କରିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଚୌଦ୍ୱାର ମହାବିଦ୍ୟାଳୟ, ଜାତୀୟ କବି ବୀର କିଶୋର(ଜେ.କେ.ବି.କେ.) ମହାବିଦ୍ୟାଳୟ, ଜଗତପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ ଓ କଟକ ମହାବିଦ୍ୟାଳୟ ଆଦି ୬ଟି ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଏହି କର୍ମକର୍ତ୍ତାଙ୍କ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆବାହକ(କନଭେନର) ଭାବେ ଅମୀୟ ଓଝା, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟର ଆବାହକ ଭାବେ ରୋହିତ ସୁନା, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଆବାହକ ଭାବେ ଆଶିଷ ରାଉତ, ଜେ.କେ.ବି.କେ ମହାବିଦ୍ୟାଳୟ ଆବାହକ ଭାବେ ଜ୍ୟୋତିପ୍ରକାଶ ବେହେରା, ଚୌଦ୍ୱାର ମହାବିଦ୍ୟାଳୟ ଆବାହକ ଭାବେ ସାମୁଏଲ ବେହେରା, କଟକ କଲେଜ ଆବାହକ ଭାବେ ଚିତ୍ତରଞ୍ଜନ ବେହେରାଙ୍କ ନାମ ଘୋଷଣା କରାଯାଇଛି । ଏଥି ସହିତ ଏହି ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ମଧ୍ୟ ଘୋଷିତ ହୋଇଛି । ଉକ୍ତ ଶିକ୍ଷାନୁଷ୍ଠାନରେ ଏହି ଆବାହକମାନେ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ନେବା ସହ କଲେଜର ଉନ୍ନତିକରଣ ଓ ମାର୍ଜିତ ଶୈକ୍ଷିକ ବାତାରଣ ସୃଷ୍ଟି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକରିବେ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬ଟି ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କର୍ମକର୍ତ୍ତାଙ୍କୁ ସମର୍ଥନ କରିଥିଲେ ।