କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧି ନୀତି ପ୍ରତିବାଦରେ ୨୯ ସେପ୍ଟେମ୍ବର ରାଜ୍ୟସ୍ତରୀୟ ଗଣବିକ୍ଷୋଭ
କଟକ (ଏନ୍.ଏମ୍.): କେନ୍ଦ୍ର ଓ ରାଜ୍ୟସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି । ଗୋଟିଏ ପରେ ଗୋଟିଏ ସଂସ୍କାର ନାମରେ ଯାହା ପ୍ରଚଳନ କରୁଛନ୍ତି ସେଥିରେ ପ୍ରଭାବିତ ହେଉଛନ୍ତି ଦେଶର ଲକ୍ଷ ଲକ୍ଷ ଗରିବ ଜନସାଧାରଣ । ତେଣୁ ଉଭୟ ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୨୯ତାରିଖରେ ରାଜ୍ୟସ୍ତରୀୟ ଗଣ ବିକ୍ଷୋଭ ହେବ ବୋଲି ଏସୟୁସିଆଇସି ପକ୍ଷରୁ ଆହ୍ୱାନ ଦିଆଯାଇଛି । ସମ୍ପ୍ରତି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ମୂଲ୍ୟ ହ୍ରାସ କରିବା, ସହରାଞ୍ଚଳର ବସ୍ତିବାସିନ୍ଦାମାନଙ୍କୁ ଆଇନ୍ ଅନୁଯାୟୀ ଥଇଥାନ କରିବା, ସମସ୍ତ ଭୂମିହୀନଙ୍କୁ ଘରଡିହ ସହ ଜମିପଟ୍ଟା ଯୋଗାଇ ଦେବା, ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଖୋଲିବା, ରାଜ୍ୟର ସମସ୍ତ ଚିକିତ୍ସାଳୟରେ ପ୍ରୟୋଜନ ମୁତାବକ ବିଶେଷଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ କରିବା, ସାର, ବିହନ, କୀଟନାଶକ ଓ କୃଷି ଉପକରଣର ସୁଲଭ ମୂଲ୍ୟରେ ଯୋଗାଇ ଦେବା ସହ ଜଳସେଚନର ସୁବ୍ୟବସ୍ଥା କରିବା, ପ୍ରତି ପଞ୍ଚାୟତରେ ସରକାରୀ ମଣ୍ଡି ପ୍ରତିଷ୍ଠା କରିବା, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ କରିବା, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ସରକାରୀ ନିଯୁକ୍ତି ଦେବା, ରେଳ, ବ୍ୟାଙ୍କ, ବୀମା ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଓ ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପାଚିକା, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସହ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିବା, ପରିଚାରିକା ଓ ସମସ୍ତ ପ୍ରକାର ଅଣସଂଗଠିତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା, ସାମାଜିକ ନିରାପତ୍ତା ଓ ବାସଗୃହ ଯୋଗାଇ ଦେବା, ମଦ ଡିପୋ ଖୋଲିବା ବନ୍ଦ ସହ ମଦ, ଡ୍ରଗ୍ସ ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା, ମୋବାଇଲ୍, ଇଣ୍ଟରନେଟ୍ ତଥା ବିଭିନ୍ନ ଗଣମାଧ୍ୟମରେ ଅଶ୍ଳୀଳତା, ନଗ୍ନତା ଓ ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା, ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଓ ସାମ୍ପ୍ରଦାୟିକ ଶକ୍ତିକୁ ଦମନ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା, ଆଦି ୧୨ଦଫା ଦାବି ନେଇ ଏସୟୁସିଆଇ(କମ୍ୟୁନିଷ୍ଟ) ନେତୃତ୍ୱରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଶାଳ ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଏସୟୁସିଆଇସି କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ(ସି) କଟକ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଅଫିସ ସମ୍ପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତରାୟ, ଦୀପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।