ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ
ଚୌଦ୍ୱାର (ଏନ୍.ଏମ୍.): ସମ୍ପ୍ରତି ସାରା ରାଜ୍ୟରେ ବନ୍ୟାର ବିଭିଷିକା । ମହାନଦୀ ସମେତ ସମସ୍ତ ନଦୀ ଏବେ ଉଛୁଳିବାରେ ଲାଗିଛି । କୂଳ ଲଙ୍ଘିବାରେ ଲାଗିପଡ଼ିଛି ବନ୍ୟାଜଳ । କେଉଁଠି ବନ୍ଧ ଡେଉଁଛି ତ ଆଉ କେଉଁଠି ଘଳିଆ ସୃଷ୍ଟି ହୋଇ ଆତଙ୍କ ସୃଷ୍ଟି କରିଛି ପ୍ରଳୟଙ୍କରୀ ବନ୍ୟା । କେଉଁ ମୁହୃର୍ତ୍ତରେ କେଉଁ ଅଞ୍ଚଳରେ ନଦୀବନ୍ଧ ଭାଙ୍ଗିବ ସେ ନେଇ ଏବେ ଜନସାଧାରଣ ଆତଙ୍କିତ । ବିଶେଷ କରି ମହାନଦୀରେ ଏବେ ପ୍ରବଳ ବନ୍ୟାଜଳ ଆସିବା ଦ୍ୱାରା ଏବେ ବନ୍ଧବାଡ଼ ଡେଇଁ ବନ୍ୟାଜଳ ଗାଁ ଭିତରେ ଶହ ଶହ ପରିବାରକୁ ଜଳବନ୍ଦୀ କରିଦେଇଥିବାବେଳେ ଆଉ କିଛି ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଚାଲିଛି । ତେବେ ମହାନଦୀ ଫୁଲିବା ଦ୍ୱାରା କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ବିଶେଷ କରି ଏହି ଅଞ୍ଚଳର କୟଳପଡ଼ା ପଞ୍ଚାୟତର କିଛି ଗାଁ ବନ୍ୟାର ତାଣ୍ଡବରେ ଥରହର ହେଉଥିବାବେଳେ ବନ୍ଧ ଉପରେ ଲୋକଙ୍କ ସମୟ ବିତୁଛି । ଏହି ପରିପ୍ରେକ୍ଷୀରେ ଆଜି ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ । ତେବେ ବନ୍ୟା ସମୟରେ ଭୟଭୀତ ହେବା ଅପେକ୍ଷା ସଚେତନ ରହିବା ଏବଂ ବନ୍ୟାମୁକାବିଲା ପାଇଁ ସରକାର ଓ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଛନ୍ତି । ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡ଼ା ପଞ୍ଚାୟତରେ ମହାନଦୀ କୂଳରେ ଥିବା ଜନବସତିଗୁଡ଼ିକୁ ଯାଇ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ, ମହାନଦୀ ନର୍ଥ ଡିଭିଜନ ଅଧିକାରୀ ନୃତାଙ୍ଗ ସବ ଡିଭିଜିନ ଏସଡିଓ ଶକ୍ତିପ୍ରସାଦ ଦାଶ, ସହକାରୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତରାଇ ପ୍ରମୁଖ ଯୋଗଦେଇ ବନ୍ୟା ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ତେବେ ବର୍ଷ ବର୍ଷ ଧରି ନର୍ଥ ଡିଭିଜନ ଅଧିନରେ ଥିବା ବିଭିନ୍ନ ନଦୀବନ୍ଧ ଗୁଡ଼ିକ ଦୁର୍ବଳ ରହିଥିଲେ ମଧ୍ୟ ଏହାର ଉପଯୁକ୍ତ ମରାମତି ହୋଇ ନଥିବା ଯୋଗୁଁ ବନ୍ୟା ସମୟରେ ଜନସାଧାରଣଙ୍କ ପ୍ରତି ଅଧିକ ବିପଦ ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ନାୟକ, ସୁଧାକର ନାୟକ, ନାରାୟଣ ମଲ୍ଲିକ, ରଞ୍ଜନ ସାହୁ, ଦିପୁନ ନାୟକ, ରାଜେନ୍ଦ୍ର ପରିଡା, ରାମଚନ୍ଦ୍ର ନାୟକ, ଜଗନ୍ନାଥ ନାୟକ, ପ୍ରଭାତ ସାହୁ, ସଚିନ ବେଉରା ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।