କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା

କ୍ରାଇମବ୍ରାଞ୍ଚର ରିପୋର୍ଟ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା


#କଟକ(ଏନ୍‌.ଏମ୍‌.): ଏସିଏଫ ମୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଖୁଲାସା କରିଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି । ସୌମ୍ୟଙ୍କର ସରକାରୀ ବାସ ଭବନରେ ହିଁ ଏହି ଘଟଣା ଘଟିଥିଲା । ଏଥିରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି କହିଥିବାବେଳେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବାବେଳେ ବିଦ୍ୟାଭାରତୀ ପଣ୍ଡା ଚାହିଁଥିଲେ ଏହାକୁ ଲିଭାଇ ପାରିଥାନ୍ତେ କିମ୍ବା କାହାକୁ ଡାକି ପାରିଥାନ୍ତେ । ତେଣୁ ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି କହିଛନ୍ତି । ସେ ପୁଣି କହିଛନ୍ତି ଯେ, ତଦନ୍ତ ଏବଂ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଅନୁସାରେ ଏହି ଘଟଣାରେ ଡିଏଫ୍‌ଓଙ୍କର କିଛି ଭୂମିକା ନାହିଁ । ତାଙ୍କ ବିରୋଧରେ କିଛି ପ୍ରମାଣ ମିଳିନି । ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କର ବି କିଛି ଭୂମିକା ନାହିଁ । ତେବେ ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି । ଘଟଣା ଦିନ ନିଆଁ ଲାଗିବା ପରେ ବିଦ୍ୟାଭାରତୀ ଲିଭାଇ ନଥିଲେ । ସୌମ୍ୟ ଜଳୁଥିଲେ ବି ସେ ନିଆଁ ଲିଭାଇବାକୁ ଚେଷ୍ଟା କରି ନଥିଲେ । ନିଜେ ନିଆଁ ଲିଭାଇ ନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖ ରାତିରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା । ତା’ପର ଦିନ କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପାରଳାଖେମୁଣ୍ଡି ପୁଲିସ୍ ପ୍ରଥମେ ଘଟଣାର ତଦନ୍ତ କରିଥିଲା । କିନ୍ତୁ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ସହ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହା ପରେ ଅଗଷ୍ଟ ମାସରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦାୟିତ୍ୱ ନେବାପରେ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିଥିଲା । ଗଜପତି ପୁଲିସ ଦ୍ୱାରା ଘଟଣାସ୍ଥଳରୁ ମିଳିଥିବା ପ୍ରମାଣର ଫରେନ୍ସିକ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ମିଳିଥିଲା । ସୌମ୍ୟ, ବିଦ୍ୟାଭାରତୀ, ଡିଏଫଓଙ୍କ ଫୋନ୍ ବାର୍ତ୍ତାଳାପ ସିଡିଆର୍ ପାଇବା ପରେ କ୍ରାଇମବ୍ରାଞ୍ଚ ଅନୁଧ୍ୟାନ କରିଥିଲା । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ଭିଡିଓ ମଧ୍ୟ ଜବତ କରାଯାଇଥିଲା ।ସମସ୍ତ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ପଲିଗ୍ରାଫ୍ ଟେଷ୍ଟ ବିହୋଇଥିଲା । ସମସ୍ତ ତଦନ୍ତ କରାଯିବା ପରେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ ଦିଆଯାଇଥିବାବେଳେ ବିଦ୍ୟାଙ୍କ ବିରୋଧରେ ଆଇପିସି ଧାରା ୨୮୫, ୩୦୪ (ଏ) ଦଫାରେ ଚାର୍ଜସିଟ୍ ଦାଖଲ ହୋଇଥିବା ଏଡିଜି ଶ୍ରୀ ପଣ୍ଡା କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ