କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ
ମାର୍ଶାଘାଇ/ପାଟକୁରା/କେନ୍ଦ୍ରାପଡ଼ା (ଏନ୍.ଏମ୍.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସାରା ରାଜ୍ୟରେ ଏବେ ବନ୍ୟାର ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ ସମେତ ଶାଖାନଦୀରେ ବନ୍ୟା ଦେଖିବାକୁ ମିଳିଛି । ଦୀର୍ଘ ୧୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ଆସିନଥିବା ବେଳେ ଚଳିତ ବର୍ଷ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଥି ଯୋଗୁ କେନ୍ଦ୍ରାପଡ଼ାରେ ପ୍ରବାହିତ ଏହି ନଦୀର ବିଭିନ୍ନ ଶାଖାରେ ବନ୍ୟାଜଳସ୍ଥର ବୃଦ୍ଧିପାଇବାରେ ଲାଗିଛି । ବିଶେଷ କରି ଚିତ୍ରୋତ୍ପଳା, ଲୁଣା, ବିରୂପା, କରାଣ୍ଡିଆ, ଗୋବରୀ ନଦୀରେ ବନ୍ୟାଜଳ ବିପଦ ସଂକୁଳ ଉପରେ ପ୍ରବାହିତ ହେଉଛି । ସେହିପରି ମର୍ଶାଘାଇ ବ୍ଲକ୍ କଳପଡ଼ା ନିକଟ ସଖୀବଟ ନିକଟ ଲୁଣା ନଦୀରେ ଗୋଟିଏ ଏବଂ ପାଟକୁରା ଅଞ୍ଚଳର ରସୁଲାବାଦ ଠାରେ ଚିତ୍ରୋତ୍ପଳା ନଦୀରେ ଦୁଇଟି ଘଳିଆ ସୃଷ୍ଟି ହୋଇଛି । ଏହି ସବୁ ସ୍ଥାନରେ ନଦୀବନ୍ଧରେ ଘଳିଆ ସୃଷ୍ଟି ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ତେଣୁ ଘଳିଆ ସୃଷ୍ଟି ହୋଇଥିବା ଅଞ୍ଚଳରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ରହି ବାଲି ବସ୍ତା ପକାଇବାର ବ୍ୟବସ୍ଥା କରିଛନ୍ତି । ଖବର ସଂଗ୍ରହ ହେବା ବେଳକୁ ଏହି ଘଳିଆ ରୋକିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ବିଶେଷ କରି ସଖୀବଟ ନିକଟରେ ପଡ଼ିଥିବା ଘଳିଆ ରୋକା ନଗଲେ କେନ୍ଦ୍ରାପଡ଼ା ସହର ପାଇଁ ବଡ଼ ବିପଦ ରହିଛି । କାରଣ ଏହିଠାରେ ଯଦି ଘାଇ ସୃଷ୍ଟି ହୁଏ ତେବେ କେନ୍ଦ୍ରାପଡ଼ାରେ ବନ୍ୟାଜଳ ପଶିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜ ସୂଚନା ଦେଇଛନ୍ତି ।