ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଆଜି ବାଚନିକ ଭୋଟ ପରେ ଶ୍ରର ଆରୁଖଙ୍କୁ ବାଚସ୍ପତି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ମୁଖ୍ୟମନ୍ତ୍ରୀ, ବିକ୍ରମ ଆରୁଖଙ୍କ ଉପରେ ବିବୃତି ରଖିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଏହା ପରେ ବାଚନିକ ଭୋଟରେ ଶ୍ରୀ ଆରୁଖ ନିର୍ବାଚିତ ହୋଇଥିବା ଉପବାଚସ୍ପତି ଘାଷଣା କରିଥିଲେ । ତେବେ ବାଚସ୍ପତି ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ବିଧାନସଭାର ଗରିମାକୁ ବଜାୟ ରଖିବେ ବୋଲି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଗତ ଶୁକ୍ରବାର ବିଧାୟକ ଶ୍ରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିଛି ଦିନ ତଳେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇ ଥିଲେ । ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା । ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିଲେ । ପୂର୍ବରୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିସାରିଛନ୍ତି । ନିକଟରେ ସେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ସେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ଥାନରେ ବାଚସ୍ପତି ହେବେ ବୋଲି ସେହି ସମୟରେ ଚର୍ଚ୍ଚା ହୋଇଥିଲା ।