କଟକରେ ବାଲିଯାତ୍ରା ହେବା ନେଇ ସୂଚନା ଦେଲେ ଜିଲ୍ଲାପାଳ

କରୋନା ପାଇଁ ୨ବର୍ଷ ବନ୍ଦ ଥିଲା ଏହି ଐତିହାସିକ ମେଳା

File Photo

କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ କଟକରେ ପୁଣି ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଉତ୍ସବ ତଥା ଧାର୍ମିକ, ସାମାଜିକ ଆଦି ଜନସମାଗମ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଥିଲା । ତେଣୁ ଦୀର୍ଘ ୨ବର୍ଷ ଧରି କଟକରେ ଐତିହାସିକ (ବିପଣୀମେଳା) ବାଲିଯାତ୍ରା ଅନୁଷ୍ଠିତ ହୋଇ ପାରିନଥିଲା । ଫଳରେ କଟକ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀ, ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ସେତେବେଳେ ଯେଉଁଭଳି କରୋନା କାୟା ବିସ୍ତାର କରୁଥିଲା ଏଭଳି କଟକଣା ବ୍ୟତୀତ ଅନ୍ୟ ଉପାୟ ନଥିଲା । ତେଣୁ ବାଲିଯାତ୍ରାକୁ ବାଧ୍ୟ ହୋଇ ବନ୍ଦ କରାଯାଇଥିଲା । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ଆୟତାଧିନ ରହିଥିବା ଯୋଗୁଁ ରାଜ୍ୟସରକାର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ସବୁଜ ସଂକେତ ଦିଆଯାଇଛି । ଫଳରେ ଚଳିତ ବର୍ଷ କଟକରେ ବାଲିଯାତ୍ରା ହେବା ନେଇ ବାଟ ଫିଟିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ବାଲିଯାତ୍ରା ଅନୁଷ୍ଠିତ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଜିଲ୍ଲପାଳ ଶ୍ରୀ ଚୟନୀ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳଙ୍କ ଠାରୁ ବାଲିଯାତ୍ରା ହେବା ନେଇ ଜଣାପଡ଼ିବା ପରେ କଟକ ସହରରେ ଆନନ୍ଦର ଲହରୀ ଖେଳିଯାଇଛି । ଚଳିତ ବର୍ଷ ନଭେମ୍ବର ୮ତାରିଖରୁ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ