ସ୍ଥାବର ସମ୍ପତ୍ତିର ବଢ଼ିବ ବେଞ୍ଚ ମାର୍କ ଦର : ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
କଟକ(ଏନ୍.ଏମ୍.): କରୋନା ମହାମାରୀ ଯୋଗୁ ସ୍ଥଗିତ ରହିଥିବା ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଦର ସମଗ୍ର ରାଜ୍ୟରେ ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ । ଏଥିପାଇଁ ରାଜ୍ୟର ସବୁ ଅଞ୍ଚଳର ଗାଁ ଓ ସହରଗୁଡ଼ିକରେ ଥିବା ସ୍ଥାବର ସମ୍ପତ୍ତି (କୋଠା, ଜମିବାଡ଼ି)ର ବେଞ୍ଚମାର୍କ ଦର ବୃଦ୍ଧି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜସ୍ୱ ପର୍ଷଦ ସଦସ୍ୟ (ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ) ରାଜ୍ୟର ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡ ଅଫ ରେଭନ୍ୟୁ କାର୍ଯ୍ୟାଳୟର ରେଜିଷ୍ଟ୍ରେସନ (ଆଇଜି) ଜ୍ୟୋତିପ୍ରକାଶ ଦାଶ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରର ଭାଲ୍ୟୁଏସନ୍ କମିିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖି ଆସନ୍ତା ୨୦୨୨ରୁ ୨୦୨୪ ମସିହା ପାଇଁ ସବୁ ଗାଁର ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଦର(ବିଏମଭି) ନିର୍ଦ୍ଧାରଣ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ନିମନ୍ତେ ଅନୁରୋଧ କରିଛନ୍ତି । ଏଥିପାଇଁ ଜିଲ୍ଲାସ୍ତରୀୟ ଭାଲ୍ୟୁଏସନ କମିଟି ଓ ତହସିଲସ୍ତରୀୟ ଭାଲ୍ୟୁଏସନ୍ କମିଟିର ପୁର୍ନଗଠନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନା ମହାମାରୀ ଯୋଗୁ ୨୦୨୦ ଅକ୍ଟୋବର ୨୦ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି ଲୋକଙ୍କୁ ଆଶ୍ୱସ୍ତି ଦେବା ନିମନ୍ତେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା(୨୦୧୯-୨୦) ଥିବା ବିଏମଭିକୁ ୨୦୨୧ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ପରାମର୍ଶ ଦେଇଥିଲେ । ତେବେ ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାରେ ଅସ୍ଥାବର ସମ୍ପତ୍ତିର ବିଏମଭିକୁ ୨୦୨୦ ଏପ୍ରିଲ ପହିଲା ଓ ୨୦୨୦ ମେ’ ୧୩ ତାରିଖରେ ୧୦ପ୍ରତିଶତ ବୃଦ୍ଧି ହୋଇଥିଲା । ଏହି ଦର ୨୦୨୧ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମାତ୍ର ରାଜସ୍ୱ ବିଭାଗ କୋଭିଡ୍ ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ୨୦୨୧ ମେ’ ୫ତାରିଖରେ ପୁଣିଥରେ ସଂଶୋଧିତ ଦରକୁ ୨୦୨୨ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ତହସିଲସ୍ତରରେ ଭାଲ୍ୟୁଏସନ କମିଟିକୁ ୨୦୨୨ ମାର୍ଚ୍ଚ ପୁର୍ନଗଠନ କରି ୨୦୨୨-୨୦୨୪ ମସିହା ପର୍ଯ୍ୟନ୍ତ ସବୁ ଗାଁ ଓ ସହରର ଅସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ଭାଲ୍ୟୁଏସନ ଆକଳନ ଓ ସ୍ଥିର କରିବାକୁ ପରାମର୍ଶ ଦେଇଛନ୍ତି । ଯାହାକି ୨୦୨୨ ଏପ୍ରିଲ ୧ତାରିଖରୁ ଲାଗୁ ହେବ । ସରକାରଙ୍କ ଗାଇଡଲାଇନ୍ ଆଧାରରେ ଏହି ବିଏମଭି ପ୍ରସ୍ତାବକୁ ବୋର୍ଡ ଅଫ ରେଭନ୍ୟୁଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି । ଯେଉଁଠି ଜିଲ୍ଲାସ୍ତରୀୟ ଓ ତହସିଲସ୍ତରୀୟ ବେଞ୍ଚମାର୍କ ଭାଲ୍ୟୁଏସନ୍ କମିଟି ଗଠନ ହୋଇସାରିଛି ତା’ର ତାଲିକା ପଠାଇବାକୁ ଶ୍ରୀ ଦାଶ କହିବା ସହ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପରାମର୍ଶ ଦେଇଛନ୍ତି ।