କଟକ ଜଗତପୁରରୁ ପୁଣି ନକଲି ସାମଗ୍ରୀ ତିଆରି କାରଖାନା ଠାବ: ଚାଲିଥିଲା ବେଆଇନ ମୃଦୁପାନୀୟ ପ୍ରସ୍ତୁତି

କଟକ(ଏନ୍.ଏମ୍.): କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟି ଯାଇଛି । କେତେବେଳେ ନକଲି ହଳଦୀଗୁଣ୍ଡ ଲଙ୍କାଗୁଣ୍ଡତ ଆଉ କେତେବେଳେ ଘିଅ, ଡିଟରଜେଣ୍ଟ ଗୁଣ୍ଡ ପୁଣି ସସ । କେବଳ ସେତିକି ନୁହେଁ ଖାଇବା ତେଲ ଠାରୁ ଆରମ୍ଭ କରି ସିମେଣ୍ଟ ପର୍ଯ୍ୟନ୍ତ ନକଲି । ଏସବୁ ନକଲି ସାମଗ୍ରୀ ବଜାରକୁ ଛାଡ଼ି କଳାବେପାରୀମାନେ ମାଲେମାଲ ହେଉଥିବାବେଳେ ରୋଗ କିଣୁଛନ୍ତି ଗ୍ରାହକ । ଅତୀତରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରୁ ବହୁ ନକଲି ସାମଗ୍ରୀ କାରଖାନା ଜବତ ହୋଇଥିବାବେଳେ ଆଜି ଏକ ନକଲି ମୃଦ୍ୟୁପାନୀୟ କାରଖାନା ଠାବ ହେବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ସମ୍ପ୍ରତି ପ୍ରବଳ ଗ୍ରୀଷ୍ମତାପ ଅନୁଭୂତ ହେଉଥିବାବେଳେ ମୃଦ୍ୟୁପାନୀୟର ଚାହିଦା ବଢ଼ିଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ନାଁରେ ନକଲି ମୃଦ୍ୟୁପାନୀୟ ପ୍ରସ୍ତୁତ କରି ଛାଡ଼ୁଛନ୍ତି । ତେବେ ଏହା ସ୍ୱାସ୍ଥ୍ୟପକ୍ଷେ କେତେଦୂର ହାନିକାରକ ତାହା ସ୍ପଷ୍ଟ ଅନୁମେୟ ।
ସୂଚନା ଅନୁଯାୟୀ ଆଜି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । କଟକ ମହାନଗର ନିଗମ ଅନ୍ତର୍ଗତ ୪୯ନମ୍ବର ୱାର୍ଡ଼ ଜଗତପୁର ଥାନା ଅନ୍ତର୍ଗତ କଟକ-କେନ୍ଦ୍ରାପଡ଼ା ରାସ୍ତାର କାଳାଗ୍ନି ହୋଟେଲ ପଛପଟେ ନକଲି ମୃଦୁପାନୀୟ କାରଖାନାକୁ ସିଲ କରିଛି ସିଏମସିର ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗ । ଏଠାରେ ଦୀର୍ଘ ଦିନ ଧରି ନକଲି ମୃଦ୍ୟୁପାନୀୟ ପ୍ରସ୍ତୁତ ହେଉଥିବା ଚଢ଼ାଉ ସମୟରେ ଜଣାପଡ଼ିଛି । ଏ ନେଇ ସିଏମସି ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ପହଞ୍ôଚବା ପରେ ଆଜି ଏକ ସ୍ପେଶାଲ ଟିମ ଉକ୍ତ କାରଖାନାରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ସ୍ପିନିଂ ଅରେଞ୍ଜ, ସ୍ପିନିଂ ସୋଢ଼ା, କିଡ୍ସ ଲିଚି, ସ୍ପିନିଂ ଅପ ଆଦି ମୃଦୁପାନୀୟ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା । କଟକ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ସାମଗ୍ରୀ ପଠାଯାଉଥିବାବେଳେ ଏହାର ଆବଶ୍ୟକୀୟ କାଗଜପତ୍ର ନଥିବା ଚଢ଼ାଉ ସମୟରେ ଜଣାପଡ଼ିଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଚଢ଼ାଉ ସମୟରେ ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, କମିଶନରେଟ ପୁଲିସ ଜୋନ-୧ ଏସିପି ଏସ.ଏନ. ମୁଦୁଲି, ଜଗତପୁର ଥାନା ଆଇଆଇସି ରବିନ୍ଦ୍ର କୁମାର ମେହେରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।