ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ

ଏମାର ମଠରୁ ଆହୁରି ମିଳିପାରେ ଗୁପ୍ତଧନ: ପୁଣି ଖୋଳା ଆରମ୍ଭ

ଫଟୋ- ପଦ୍ମଲୋଚନ ମିଶ୍ର

ପୁରୀ(ଏନ୍‌.ଏମ୍‌.): ଏମାର ମଠରୁ ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ହେବା ପରେ ସେଠାରେ ଆହୁରି ଗୁପ୍ତଧନ ରହିଥିବା ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ପୁରୀର ବହୁ ପୁରାତନ ତଥା ଧନୀ ମଠରୁ ଅନ୍ୟତମ ଏମାର ମଠ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି । ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ହଜାର ବର୍ଷ ତଳର ଏହି ମଠକୁ ଖୋଳାଯାଉଛି । ଗତ ସେପ୍ଟମ୍ବର ୧୬ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା । ସେତେବେଳେ ଯେଉଁ ମେଟାଲ୍ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନଥିଲା । ଫଳରେ ଧାତୁର ଅବସ୍ଥିତି ନେଇ ସଠିକ୍ ଜଣାପଡି ନ ଥିଲା ତେଣୁ ପୁନର୍ବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଣ୍ଡାଉମେଣ୍ଟ ଅଧିକାରୀଙ୍କ ସହ ନୂତନ ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ଯାଞ୍ଚ ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ମଠର ପ୍ରବେଶ ପଥକୁ ଯାଞ୍ଚ କରାଯାଇ ତାହାକୁ ଖୋଳା ଯାଇଛି । ମଧ୍ୟାହ୍ନ ସୁଦ୍ଧା ଖୋଳାଖୋଳି ହେଉଥିବା ଅଞ୍ଚଳରୁ ଖଣ୍ଡେ ଲୁହା ମିଳିଥିବା ବେଳେ ଆଉ କିଛି ମିଳି ନଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ୨୦୧୧ମସିହାରେ ମଠରୁ ୫୨୨ଖଣ୍ଡ ରୂପାଇଟା ବାହାରିଥିବା ବେଳେ ତାହାକୁ ଜିଲ୍ଲା ଆରମୋରୀରେ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ସେବେ ଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚରାଧୀନ ରହିଛି । ଏହାପରେ ଏପ୍ରିଲ ୨୦୨୧ରେ ଏହି ବିତ୍ତଶାଳୀ ମଠକୁ ଖୋଳାଯାଇଥିବା ବେଳେ ସେଥିରୁ ୪୫ ଖଣ୍ଡ ରୂପାଇଟା ବାହାରିଥିଲା । ଉକ୍ତ ରୁପା ଇଟାଗୁଡ଼ିକ ଏବେ ଟ୍ରଷ୍ଟ ବୋର୍ଡ ଅଧୀନରେ ଥିବାବେଳେ ତାହାକୁ ଜିଲ୍ଲା ଟ୍ରେଜରୀରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ସହ ଏକ ସିନ୍ଦୁକରୁ ବହୁ ମୂଲ୍ୟର ସମ୍ପତ୍ତି ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୁପା ଫୁଲଦାନୀ, ବ୍ରୋଞ୍ଜ ଗାଈ ବାଛୁରୀ ଓ ୧୬ଟି ଖଣ୍ଡା ଉଦ୍ଧାର କରାଯାଇଥିଲା । ତାହାକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି । ପୂର୍ବରୁ ଏମାର ମଠ ଖୋଳାଯାଇ ବହୁ ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଥିବା ବେଳେ ଏଠାରୁ ଅଧିକ କିଛି ମିଳିବ ବୋଲି ପ୍ରଶାସନ ପକ୍ଷରୁ ଆଶା କରାଯାଉଛି । ତେବେ ଏ ନେଇ ପୁରୀ ଜିଲ୍ଲାପାଳ ମୁହଁ ଖୋଲି ନାହାନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ