ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ମୁହାଁମୁହିଁ
ଟ୍ରାକ୍ଟର ସମ୍ମୁଖରେ ଶୋଇଲେ ବ୍ୟବସାୟୀ


କୋଣାର୍କ(ଏନ୍‌.ଏମ୍‌.): ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ପ୍ଲଟ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଧାରଣା ୧୬ ଦିନରେ ପହଂଚିଛି । ଏହି ସମସ୍ୟାର ସମାଧାନ ହୋଇନପାରିବାରୁ ସୋମବାର ଅପରାହ୍ନରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ଉଭୟ ମୁହାଁମୁହିଁ ହୋଇଥିଲା । ଗତ କିଛି ଦିନ ହେଲା ନୂଆ ପ୍ଲଟରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନ ଖୋଲିବାରୁ ଆଇଓଏଫ ପାର୍କିଂ ପାଚେରୀ କଡ ମଙ୍ଗଳା ମନ୍ଦିର ନିକଟରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀମାନେ ଦୋକାନ ଖୋଲିବା ଆରମ୍ବ କରିଥିଲେ । ଫଳରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ଦୋକାନ ଉଛେଦ କରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, ଆଇଆଇସି ରଞ୍ଜନ କୁମାର ମଲ୍ଲିକ ପୁଲିସ ଫୋର୍ସ ସହିତ ଘଟଣାସ୍ତଳରେ ପହଂଚିଥିଲେ । ଉଛେଦ ଆରମ୍ବ କରିବା ପୂର୍ବରୁ ଅସନ୍ତୁଷ୍ଟ ବ୍ୟବସାୟୀମାନେ ଟ୍ରାକ୍ଟର ସମ୍ମୁଖରେ ଶୋଇ ପଡିବାରୁ ହୋହଲ୍ଲା ହୋଇଥିଲା । କିଛି ସମୟ ଧରି ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ପ୍ରଶାସନ ପୋଲିସ ଫୋର୍ସ ହଟହଟା ହୋଇ ଫେରିଯାଇଥିଲା । କୋଣାର୍କ ସୂର୍ଯ୍ୟମନ୍ଦିରର ଚତୁଃପାଶ୍ୱର୍ ସୈାନ୍ଦର୍ଯ୍ୟକରଣ ଯୋଜନାରେ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଅଇଥାନ ପାଇଁ ସୂର୍ଯ୍ୟ ମନ୍ଦିର ସମ୍ମୁଖସ୍ଥ ଏକ ନିର୍ଦ୍ଧଷ୍ଟ ସ୍ଥାନରେ ହସ୍ତଶିଳ୍ପ ବଜାର କରାଯାଇ ବ୍ୟବସାୟୀଙ୍କୁ ପାଇଁ ପ୍ଲଟ ବଣ୍ଟନ କରାଯାଇଥିଲା । ଏହି ପ୍ଲଟ ଆବଣ୍ଟନରେ ପ୍ରକ୍ରିୟାରେ ପାତରଅନ୍ତର ହୋଇଥିବ। ଏବଂ ଅଣବ୍ୟବସାୟୀ ଓ ସମ୍ପର୍କୀୟଙ୍କ ନାମରେ ଏକାଧିକ ପ୍ଲଟ ରହିଥିବା ଅଭିଯୋଗ ହୋଇଥିଲା । ହସ୍ତଶିଳ୍ପ ବ୍ୟବସାୟୀ ତାଲିକାରେ ଚଞ୍ଚକତା କରାଯାଇ ୧୬୪ଜଣଙ୍କ ବଦଳରେ ୨୨୩ଜଣଙ୍କ ନାମ ରହିଥିବାରୁ ବିବାଦ ଦେଖାଦେଇଥିଲା । ପ୍ଲଟ ଆବଣ୍ଟନରେ ଅନିୟମିତତାର ପୁନଃ ସମୀକ୍ଷା ଓ ଲଟେରୀ ମାଧ୍ୟମରେ ୧୬୪ ବ୍ୟବସାୟୀଙ୍କୁ ତାଲିକାରେ ସାମିଲ ସହ ଅଣବ୍ୟବସାୟୀଙ୍କୁ ବାଦ ଦେବାକୁ ଆନ୍ଦୋଳନ କାରି ବ୍ୟବସାୟୀ ସଂଘ ପକ୍ଷରୁ ଭରତ ଚନ୍ଦ୍ର ନାୟକ, ସୁକାନ୍ତ ମହାନ୍ତି, ର୍‌ଞ୍ଜିତ କୁମାର ରାଉତରାୟ, ବିଜୟ ନନ୍ଦି, ଭାସ୍କର ବେହେରା ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ଆସନ୍ତା ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଆଲୋଚନା ହେବ ବୋଲି କୋଣାର୍କ ଥାନାଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ପାଇଁ ଦାନା ବାନ୍ଧିବ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ବ ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି