ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

News by Saroj Kumar Muduli (Khordha)

#ଖୋର୍ଦ୍ଧା(ଏନ୍‌.ଏମ୍‌.): ଭାରତର ଶେଷ ସ୍ୱାଧୀନ ଦୁର୍ଗ ତଥା ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଓଡ଼ିଶାର ସମସ୍ତ ମଠ, ମନ୍ଦିର ଇତ୍ୟାଦିର ବିକାଶ କରୁଛନ୍ତି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ପ୍ରାଚୀନ କୀର୍ତ୍ତିରାଜି ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ ସହିତ ଓଡ଼ିଶାର ପାଇକ ସମ୍ପ୍ରଦାୟ ତଥା ସାଢ଼େ ୪କୋଟି ଓଡ଼ିଆଙ୍କର ଭାବାବେଗ ସଂଶ୍ଳିଷ୍ଟ । ତେଣୁ ଏଥି ପାଇଁ ରାଜ୍ୟସରକାର ବିକାଶ କ୍ଷେତ୍ରରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ ତରଫରୁ ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ, ଆଇନ୍‌ଜୀବୀ ନରେନ୍ଦ୍ର ପୃଷ୍ଟି, ସମାଜସେବୀ ଅବନୀ ଜେନା, ସୁକାନ୍ତ ନନ୍ଦ ଓ ସୋନୁ ବେହେରା ପ୍ରମୁଖ ଭକ୍ତଗଡ଼ର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହା ମଧ୍ୟରେ ପାଇକ ଜ୍ୟୋତି, ମ୍ୟୁଜିୟମ୍‌, ପାଇକ ଏକାଡ଼େମୀ ଇତ୍ୟାଦି ସ୍ଥାନ ପାଇବା ପାଇଁ ମଧ୍ୟ ଦାବି ହୋଇଛି । ସୂଚନା ଯୋଗ୍ୟ ଯେ, ୨୦୧୮ ମସିହାରେ ଗଡ଼ ମଧ୍ୟରେ ସ୍ୱେଚ୍ଛାସେବୀ ସଂଗଠନ ନିୟୁ ଥିକିଙ୍ଗ୍ ଫୋରମ୍ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପାଇକ ବିଦ୍ରୋହର ୨୦୦ତମ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ପୁନଃରୁଦ୍ଧାର କରାଯିବା ପାଇଁ ଘୋଷଣା କରିଥିଲେ । ୧୯୯୦ ମସିହାରେ ଏହି ଗଡ଼ରେ ପାଳନ କରାଯାଉଥିବା ଲାଇଟ୍ ଓ ସାଉଣ୍ଡ ଉତ୍ସବରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏହାର ପୁନଃରୁଦ୍ଧାର ପାଇଁ ଘୋଷଣା କରିଥିଲେ । ଏହି ଗଡ଼ ନିକଟରେ ପାଇକ ସ୍ମାରକୀ ପ୍ରତିଷ୍ଠା କରାଯିବା ପାଇଁ ୨୦୧୯ ମସିହା ଡିସେମ୍ବର ୮ତାରିଖରେ ଭାରତର ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଭିତ୍ତି ପ୍ରସ୍ତର ପକାଇଥିଲେ । ପୁନଶ୍ଚ ୨୦୧୭ ମସିହା ମାର୍ଚ୍ଚ ୧୫ତାରିଖ ଏବଂ ଜୁଲାଇ ୨୬ତାରିଖରେ ସଚ୍ଚିବାଳୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଅଶୋକ ପଣ୍ଡା, ସାସଂଦ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧାର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜଟଣୀ ବିଧାୟକ ଭାଗିରଥ ବଡ଼ଜେନା, ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ଐତିହାସିକ ଡ. ନାରାୟଣ ରାଓ, ହିମାଂଶୁ ପଟ୍ଟନାୟକ, ନିୟୁ ଥିଙ୍କିଙ୍ଗ୍ ଫୋରମ୍ ସଭାପତି ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିବାବେଳେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିର ଅବ୍ୟବହିତ ପୂର୍ବରୁ ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ହେବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଥିଲେ । ସେହିଭଳି ଏହି ଗଡ଼ର ପୁନଃରୁଦ୍ଧାର କରାଯାଇ ପାରିଲେ ଏଠାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିବା ସହ ଏହା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହେବ ଏବଂ ଓଡ଼ିଶାର ଅସ୍ମିତା ଓ ଗାରୀମାମୟ ଇତିହାସକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରାଇବାରେ ସହାୟକ ହେବ ବୋଲି ପରିଷଦ ପକ୍ଷରୁ ସଭାପତି ଡ. ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଶ୍ରୀ ପୃଷ୍ଟି ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *