୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି
#ଭୁବନେଶ୍ୱର(ଏନ୍.ଏମ୍.): ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି । ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଚିଟଫଣ୍ଡ ସଂସ୍ଥାରେ ଏହି ଚଢ଼ାଉ କରାଯାଇଛି । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, ଛତ୍ରପୁର, ଚିକିଟି ଓ ଦିଗପହଣ୍ଡି ସମେତ ଓଡ଼ିଶାର ୧୦ଟି ସ୍ଥାନରେ ଏହି ରେଡ୍ ଚାଲିଛି । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ଓ କିଛି କାର୍ଯ୍ୟକର୍ତ୍ତାଙ୍କ ଘରେ ବି ଚଢ଼ାଉ ଚାଲିଥିବା ସୂଚନା ରହିଛି । ଚଢ଼ାଉ ବେଳେ କେତେ ଟଙ୍କା ଓ କ’ଣ ସବୁ ଜବତ ହୋଇଛି, ଜଣାପଡ଼ିନାହିଁ । ଲୋଭନୀୟ ସ୍କିମର ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଟଙ୍କା ଠକିଛି ଏହି ଚିଟଫଣ୍ଡ ସଂସ୍ଥା । ଓଡ଼ିଶାରେ ୪ଲକ୍ଷ ୭୨ ହଜାର ଆବେଦନକାରୀ ନିଜର ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲେ । ଏହି ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା । ୨୦୧୬ ମସିହାରେ କ୍ରାଇମବ୍ରାଞ୍ଚ ଏହି ଚିଟଫଣ୍ଡର ସଂସ୍ଥାର କିଛି ସମ୍ପତ୍ତି ଜବତ କରିବା ସହ ଜମି ଗୁଡ଼ିକୁ ମଧ୍ୟ ନିଲାମ କରାଯାଇଥିଲା । ଆଜି ଏହି ଚିଟଫଣ୍ଡ ସଂସ୍ଥା ଉପରେ ଇଡି ଚଢ଼ାଉ କରି ଖୋଳତାଡ଼ ଆରମ୍ଭ କରିଛି ।