୪୮ନମ୍ବର ୱାର୍ଡରେ ବର୍ଷା ଜଳ ନିଷ୍କାସନ ନାଁରେ ତେଲ ହରିଲୁଟ ଅଭିଯୋଗ

ଜଗତପୁର(ଏନ୍.ଏମ୍.): କଟକ ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡରେ ଜଳ ନିଷ୍କାସନ ନାଁରେ ଆସୁଥିବା ତେଲ(ଡିଜେଲ) ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ଲଗାଣ ବର୍ଷାରେ ସମଗ୍ର କଟକ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ସିଏମସି ମେୟର ବିଭିନ୍ନ ୱାର୍ଡରେ ବର୍ଷାଜଳ ନିଷ୍କାସନ ନହେବା ପର୍ଯ୍ୟନ୍ତ ପ୍ରତିଦିନ ୮ରୁ ୧୨ ଘଣ୍ଟା ପାଣି ପମ୍ପ ଚଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ଯେତେ ତେଲ ଆବଶ୍ୟକ ପଡିବ ଦିଆଯିବ ବୋଲି ଘୋଷଣା କରିବା ପରେ ସିଏମସି ଅଧିକାରୀ ଓ କର୍ପୋରେଟର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ଚର୍ଚ୍ଚା ହେଉଛି । ଲଘୁଚାପ ଜନିତ ବର୍ଷାରେ ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଥିଲା । ତେବେ ଆଜି ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇ ପାରିନଥିବାବେଳେ ଦୈନିକ ପମ୍ପ ଯୋଗେ ଜଳ ନିଷ୍କାସନ ଚାଲିଛି । କେବଳ ଏହି ଅଞ୍ଚଳରେ କେବଳ ଲୋକଦେଖାଣିଆ ଭାବେ ପମ୍ପ ଚାଲିଥିବାବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ଅବସ୍ଥା ଭୋଗ କରୁଛନ୍ତି । ତେବେ ପମ୍ପ ଅପରେଟର ଦିନକୁ ୮ ଘଣ୍ଟା ପମ୍ପ ଚଲାଇବା ପାଇଁ ପ୍ରତିଦିନ ତେଲ ନେଉଥିବାବେଳେ ସେ ପମ୍ପ ଚଲାଉଛି କି ନାହିଁ ତୁମ୍ଭ ୱାର୍ଡ କର୍ପୋରେଟରଙ୍କୁ ପଚାର ବୋଲି କହି ସମ୍ପୃକ୍ତ ଜେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି । ଫଳରେ ସିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ ଡିଜେଲ ବାବଦ ଯେଉଁ ଅର୍ଥ ବ୍ୟୟ କରାଯାଉଛି ତାହା ବାଟମାରଣା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏ ବିଷୟରେ ଉପଯୁକ୍ତ ତଦନ୍ତ କରାଯିବା ସହ ଉକ୍ତ ଅଞ୍ଚଳରୁ ତୁରନ୍ତ ଜଳନିଷ୍କାସନ କରିବା ନିମନ୍ତେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।