୩ ଚୋରା ବନ୍ଧୁକ ବେପାରୀଙ୍କୁ ମାଡ଼ିବସିଲା ପୁଲିସ : ବିହାରରୁ ଆଣି କଟକରେ ବିକ୍ରି କରୁଥିଲେ

କଟକ(ଏନ୍.ଏମ୍.): ରାଜ୍ୟ ବାହାରୁ ଚୋରା ବନ୍ଧୁକ ଓ ଗୁଳି ଆମଦାନୀ ହେଉଥିବା ବିଷୟରେ ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୁଲିସ । ଏ ନେଇ ସ୍ପେଶାଲ ସ୍କ୍ୱାର୍ଡ଼ ଓ ଲାଲବାଗ ଥାନା ପୁଲିସକୁ ବଡ ସଫଳତା ମିଳିଛି । ବିଳମ୍ବିତ ରାତିରେ ଡିଲ ଚାଲିଥିବାବେଳେ ପୁଲିସ ତିନି ବେପାରୀଙ୍କୁ ମାଡି ବସିଛି । ଅଭିଯୁକ୍ତମାନଙ୍କ ଠାରୁ ୩ଟି ବନ୍ଧୁକ, ୧୫ରାଉଣ୍ଡ ଗୁଳି ଓ ୩ ଟି ବାଇକ ଜବତ କରିଛି । ତେବେ ଅଭିଯୁକ୍ତମାନେ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ବିକ୍ରି କରୁଥିବା ବିଷୟରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ତେବେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାଧାନାଥ ଟ୍ରେନିଂ କଲେଜ ନିକଟରେ ଏହି ବନ୍ଧୁକ କାରବାର ପାଇଁ ଡିଲ ଚାଲିଥିଲା । ବନ୍ଧୁକ ବିକ୍ରି କରିବା ଆଗରୁ ୩ ବନ୍ଧୁକ ବେପାରୀଙ୍କୁ ମାଡି ବସିଲା ଲାଲବାଗ ଥାନା ପୁଲିସ । ଅଭିଯୁକ୍ତଙ୍କ ଠାରୁ ତିନୋଟି ବନ୍ଧୁକ ଓ ୧୫ ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଜବତ କରିଛି । ତେବେ ପୁଲିସର ଚଢା଼ଉ ସମୟରେ ମୂଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ତାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ଗିରଫ ତିନି ଅଭିଯୁକ୍ତ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି କଟକ ଜିଲ୍ଲା ଓ ଏହାର ଆଖପାଖରେ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଯାଣିବାକୁ ପାଇଛି । ତିନି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ତେବେ ଫେରାର ଥିବା ମୂଖ୍ୟ ଅଭିଯୁକ୍ତ ଗିରଫ ହେଲେ ଏହି ବନ୍ଧୁକ ବେପାରୀ ରାକେଟର ପର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ଡିସିପି । କଟକରେ ପାର୍ବଣ ଚାଲୁଥିବାରୁ ଅପରାଧୀଙ୍କ ଉପରେ କମିଶନରେଟ ପୁଲିସ କଡା ନଜର ରଖିବା ସହ ସ୍ପେଶାଲ ଡ୍ରାଇଭ ମଧ୍ୟ ଜାରି ରହିବ ବୋଲି ଡିସିପି ସୂଚନା ଦେଇଛନ୍ତି ।